ଫୋର୍ବସ ଜାରି କଲା ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ନାଁ, ପ୍ରଥମ ସ୍ଥାନରେ କିଏ ?

ନୂଆଦିଲ୍ଲୀ: ପ୍ରତିବର୍ଷ ଫୋର୍ବସ ମାଗାଜିନ ତା’ର ଧନୀକଙ୍କ ତାଲିକା ଜାରି କରେ । ଫୋର୍ବସ ତାଲିକାରୁ ଜଣା ପଡେ ବିଶ୍ୱର ସବୁଠାରୁ ଧନୀ କିଏ । ସେହିଭଳି ଏଥିରୁ ଭାରତର ଧନୀକଙ୍କ ବାବଦରେ ମଧ୍ୟ ସୂଚନା ମିଳିଥାଏ । ପ୍ରତିବର୍ଷ ଭଳି ଏଥରକ ମଧ୍ୟ ଫୋର୍ବସ ତା’ର ଧନୀ ଭାରତୀୟଙ୍କ ତାଲିକା ଜାରି କରିଛି । ଏଥିରେ ୧୦୦ ଧନାଢ୍ୟ ଭାରତୀୟଙ୍କ ନାମ ରହିଛି ।ଭାରତର ସବୁଠାରୁ ଧନୀ ବ୍ୟକ୍ତି କିଏ ? ଏହି ପ୍ରସଙ୍ଗ ଉଠିଲେ ସର୍ବପ୍ରଥମେ ସାମ୍ନାକୁ ଚାଲିଆସେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନାଁ । କିନ୍ତୁ କ’ଣ ଏଥର ମଧ୍ୟ ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ ଅଛନ୍ତି ନା ଆଉ କିଏ ବାଜି ମାରି ନେଇଛି ? ଆସନ୍ତୁ ଜାଣିବା ।
ପ୍ରତିବର୍ଷ ଭଳି ଏଥର ମଧ୍ୟ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ନାଁ ଜାରି କରିଛି ବିଜନେସ ମାଗାଜିନ ଫୋର୍ବସ । ଫୋର୍ବସ ମାଗାଜିନ ଅନୁସାରେ ଏହି ୧୦୦ ଧନୀ ବ୍ୟକ୍ତିଙ୍କ ସମଗ୍ର ସମ୍ପତ୍ତି ୭୭୫ ବିଲିୟନ ଡଲାର ବା ପ୍ରାୟ ୫୮.୦୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଲିଷ୍ଟରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୯୨.୭ ବିଲିୟନ ଡଲାର ବା ପ୍ରାୟ ୬.୮୯ ଲକ୍ଷ କୋଟି ଟଙ୍କା ।
ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଦାନି ଗ୍ରୁପ ମୁଖ୍ୟ ଗୌତମ ଅଦାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୭୪.୮ ବିଲିୟନ ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କା ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରିପୋର୍ଟରେ କୁହାଯାଇଛିଯେ, କୋଭିଡ ୧୯ର ଦ୍ୱିତୀୟ ପ୍ରବାହ ଦେଶରେ ହାହାକାର ସୃଷ୍ଟି କରିଥିଲେ ମଧ୍ୟ ଭାରତ ସାହସ ଏବଂ ବୁଦ୍ଧିମାନର ସହିତ ଏହା ସହିତ ଲଢ଼ିଥିବାରୁ ଦୁନିଆର ଷଷ୍ଠ ବୃହତ୍ ଇକୋନୋମି ଭାରତରେ ନିବେଶକଙ୍କ ଭରସା ବଢ଼ାଇଛି । ଶେୟାର ମାର୍କେଟରେ ବିଏସଇର ବେଞ୍ଚମାର୍କ ସେନ୍ସେକ୍ସ ଗୋଟିଏ ବର୍ଷ ପୂର୍ବ ତୁଳନାରେ ୫୨ ପ୍ରତିଶତ ବଢ଼ିଛି । ଏଥିପାଇଁ ଦେଶର ୧୦୦ ଧନୀଙ୍କ ସମ୍ପତ୍ତିର ରେକର୍ଡ଼ ଏଭଳି ସ୍ତରରେ ପହଞ୍ଚିଛି । ଗତ ୧୨ ମାସ ମଧ୍ୟରେ ଏମାନଙ୍କ ସମ୍ପତ୍ତି ୫୦ ପ୍ରତିଶତ ବା ପ୍ରାୟ ୨୫୭ ବିଲିୟନ ଡଲାର ବଢ଼ି ୭୭୫ ବିଲିୟନ ଡଲାରରେ ପହଞ୍ଚିଛି ।
ରିପୋର୍ଟ ଅନୁସାରେ ଏହି ସମ୍ପତ୍ତି ବୃଦ୍ଧିକୁ ଯଦି ଆକଳନ କରାଯାଏ ତେବେ ପ୍ରାୟ ୨୦ ପ୍ରତିଶତ କେବଳ ଗୌତମ ଅଦାନିଙ୍କ ହେତୁ ବଢ଼ିଛି । କାରଣ ତାଙ୍କ ସମ୍ପତ୍ତି ଗୋଟିଏ ବର୍ଷରେ ୩ ଗୁଣା ବଢ଼ି ୭୪.୮ ବିଲିୟନ ଡଲାର ବା ୫.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଭାରତର ସବୁଠାରୁ ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ତାଲିକାରେ ଲଗାତାର ସେ ତିନି ବର୍ଷ ହେବ ଦ୍ୱିତୀୟ ସ୍ଥାନରେ ରହି ଆସୁଛନ୍ତି ।
ଅନ୍ୟପଟେ ମୁକେଶ ଅମ୍ବାନୀ ଲଗାତାର ୨୦୦୮ ମସିହାରୁ ପ୍ରଥମ ସ୍ଥାନରେ ରହି ଆସୁଛନ୍ତି । ପ୍ରାୟ ୩୧ ବିଲିୟନ ଡଲାର ସମ୍ପତ୍ତି ସହିତ ଏଚସିଏଲର ଫାଉଣ୍ଡର ଶିବ୍ ନାଡର ତୃତୀୟ ସ୍ଥାନରେ ଅଛନ୍ତି ଏବଂ ୨୯.୪ ବିଲିୟନ ଡଲାର ସମ୍ପତ୍ତି ସହିତ ରାଧାକୃଷ୍ଣ ଦମାନୀ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି । ପଞ୍ଚମରେ ସାଇରସ ପୁନାଓ୍ୱାଲା, ଷଷ୍ଠରେ ଲକ୍ଷ୍ମୀ ମିତଲ, ସପ୍ତମରେ ସାବିତ୍ରୀ ଜିନ୍ଦଲ,ଅଷ୍ଟମରେ ଉଦୟ କୋଟକ, ନବମରେ ପାଲୋନଜି ମିସ୍ତ୍ରୀ ଏବଂ ଦଶମରେ ଅଛନ୍ତି କୁମାର ମଙ୍ଗଳମ ବିଡଲା ।