ଆଜି କଳା ବ୍ୟାଚ୍ ପିନ୍ଧି ଖେଳିବେ IPL ଖେଳାଳି, ମୃତକଙ୍କ ପ୍ରତି ଜଣାଇବେ ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶୋକ ପ୍ରକାଶ କରିବା ପାଇଁ କଳା ପଟି ପିନ୍ଧିବେ ଆଇପିଏଲ୍ ଖେଳାଳି । ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ରହିଛି । ଏହି ଦୁଇ ଦଳର ଖେଳାଳିମାନେ କଳା ପଟି ପିନ୍ଧି ମ୍ୟାଚ୍ ଖେଳିବେ । ଆଜିର ମ୍ୟାଚରେ କୌଣସି ଆତସବାଜୀ ହେବ ନାହିଁ କି ଚିୟରଲିଡର ଦେଖାଯିବେ ନାହିଁ । ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏକ ମିନିଟ ନୀରବ ପ୍ରାର୍ଥନା ହେବ ।

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ କହିଛି ଯେ, ଉଭୟ ଦଳର ଖେଳାଳି ଆଜି କଳା ବ୍ୟାଚ୍ ପିନ୍ଧି ଖେଳିବେ ଏବଂ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା ହେବ ।

ଦକ୍ଷିଣ କାଶ୍ମୀରର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳି ଭାବେ ଜଣାଶୁଣା ପହଲଗାମରେ ଗତକାଲି ଆତଙ୍କବାଦୀ ଗୁଳି ଚଳାଇଥିଲେ । ସେଠାରେ ବୁଲିବାକୁ ଆସିଥିବା ୨୬ ଜଣ ପର୍ଯ୍ୟଟକ ମୃତ୍ୟୁ ବରଣ କରିଛନ୍ତି । ପାକିସ୍ତାନ ଲସ୍କର ଏ ତୋଏବାର ଆତଙ୍କବାଦୀ ଗୋଷ୍ଠୀ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି । ସାରା ବିଶ୍ବରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ।