ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନିଉଜିଲାଣ୍ଡକୁ ହରାଇ ପ୍ରଥମଥର ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଦଳ

1 min read

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଜାରି ରହିଛି । ଏଥିରେ ଭାରତୀୟ ପ୍ରତିଯୋଗୀମାନଙ୍କ କମାଲ ଦେଖିବାକୁ ମିଳିଛି । ରାଜ୍ୟଗୋଷ୍ଠୀ କ୍ରୀଡା ଶେଷ ଦିନ ଆଡକୁ ଭାରତର ମେଡାଲ ବର୍ଷା ହୋଇଛି । ଏହି କ୍ରମରେ ରବିବାର ମହିଳା ହକିରେ ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ ହରାଇ ବ୍ରୋଞ୍ଜ ପଦକ ହାତେଇଛି । ବ୍ରୋଞ୍ଜ ପଦକ ବିଜୟ ସହ ଇତିହାସ ରଚିଛି ମହିଳା ହକି ଦଳ ।  ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ଡିଫେଣ୍ଡିଂ ଚମ୍ପିୟାନ ନିଉଜିଲାଣ୍ଡକୁ ସୁଟଆଉଟରେ ୨-୧ରେ ପରାଜିତ କରିଛି ।

ତେବେ ଏହି ବ୍ରୋଞ୍ଜ ପଦକକୁ ମିଶାଇ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ମୋଟ ୩ଟି ପଦକ ଜିତିଛି । ଏହା ପୂର୍ବରୁ ଭାରତ ୨୦୦୨ରେ ସ୍ୱର୍ଣ୍ଣ ଏବଂ ୨୦୦୬ରେ ରୌପ୍ୟ ପଦକ ଜିତିଥିଲା । ଆଜିର ବିଜୟ ମହିଳା ହକି ପାଇଁ ନୂଆ ଇତିହାସ ଆଣି ଦେଇଛି । ଭାରତୀୟ ଦଳ ମ୍ୟାଚର ଶେଷ ଭାଗରେ ୧-୦ରେ ଆଗୁଆ ରହିଥିଲା ହେଲେ ଶେଷ ୩୦ ସେକଣ୍ଡଠାରୁ ବି କମ ସମୟରେ ବିରୋଧୀ ଟିମକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା ।

ଏହା ପେନାଲ୍ଟି ଷ୍ଟ୍ରୋକରେ ପରିବର୍ତ୍ତିନ ହୋଇଥିଲା । ନିଉଜିଲାଣ୍ଡର ଓଲିଭିଆ ମୋରି ଗୋଲ୍ କରି ନ୍ୟୁଜିଲାଣ୍ଡକୁ ଭାରତ ସହ ବରାବରକୁ ଆଣିଥିଲେ । ଏହି କାରଣରୁ ଶୁଟଆଉଟ୍ ପ୍ରତିଯୋଗିତା ହୋଇଥିଲା । ଭାରତୀୟ ଦଳ ଶୁଟଆଉଟରେ ଧର୍ଯ୍ୟର ସହ ଖେଳି ୨-୧ରେ ବିଜୟ ଲାଭ କରିଛି । ଆଜିର ବ୍ରୋଞ୍ଜ ମ୍ୟଚରେ ସଲିମା ଟେଟେଙ୍କ ଗୋଲ୍ ବଳରେ ଭାରତ ମଧ୍ୟାନ୍ତର ସୁଦ୍ଧା ୧-୦ରେ ଆଗୁଆ ରହିଥିଲା ।

ବିବାଦୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ଆଜିର ମ୍ୟାଚରେ ଭାରତୀୟ ଦଳ ଉତ୍ତମ ପ୍ରଦର୍ଶନ କରିଥିଲା । ଗତ ସେମିଫାଇନାଲ ମ୍ୟାଚରେ ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଭାରତ ସ୍ୱର୍ଣ୍ଣ ପଦକ ଦୌଡରୁ ବାଦ୍ ପଡ଼ିଥିଲା । ସବିତା ପୁନିଆଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଶୁଟଆଉଟରେ ୩-୦ରେ ହରାଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ପୂର୍ବରୁ ୨୦୦୨ ମସିହା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଫାଇନାଲରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା ଯେତବେଳେ କି ୨୦୦୬ରେ ଅଷ୍ଟ୍ରେଲିଆଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲା ।