ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା କ୍ରିକେଟ: ପାକିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ

1 min read

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ରବିବାର ମହିଳା ଟି-୨୦ କ୍ରିକେଟରେ ଭାରତକୁ ସହଜ ବିଜୟ ମିଲିଛି । ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ ଭାରତ ୮ ୱିକେଟରେ ବିଜୟୀ ହୋଇଛି । ଆଜିର ବିଜୟରେ ସ୍ମୃତି ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ୪୨ ବଲ୍ ଖେଳି ୬୩ରନର ଅପରାଜିତ ଦମଦାର ଇନିଂସ ଖେଳିଛନ୍ତି । ବର୍ଷା କାରଣରୁ ୨୦ ଓଭର ପରିବର୍ତ୍ତେ ୧୮ ଓଭର ଖେଳ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା । ୧୧.୪ ଓଭରରେ ଭାରତ ୧୦୦ ରନର ବିଜୟ ଲକ୍ଷ୍ୟକୁ ଦୁଇ ୱିକେଟ ବିନିମୟରେ ହାସଲ କରିନେଇଛି । ସ୍ମୃତିଙ୍କ ବ୍ୟତୀତ ଶେଫାଳି ବର୍ମା ୧୬ ରନ୍ ଓ ସଭିନେନି ମେଘନା ୧୪ ରନ୍ କରିଥିଲେ । ବିଜୟ ବେଳକୁ ସ୍ମୃତିଙ୍କ ସହ କ୍ରୀଜରେ ଜେମିମା ରୋଡ୍ରିଗୀଜ ୨ ରନ୍ କରି ଦଣ୍ଡାୟମାନ ରହିଥିଲେ । ଭାରତୀୟ ବୋଲରମାନେ ପାକିସ୍ତାନ ଇନିଂସରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ଖେଳିବାକୁ ସୁଯୋଗ ଦେଇନଥିଲେ । ପାକିସ୍ତାନ ପକ୍ଷରୁ ସର୍ବାଧିକ ମୁନିବା ଅଲି ୩୨ ରନ୍ କରିଛନ୍ତି ।

ଅଲିୟା ରିୟାଜ ୧୮ ଏବଂ ଅଧିନାୟକ ବିସ୍ମାହ ମାରୁକ ୧୭ରନର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ସ୍ନେହ ରାଣା ଏବଂ ରାଧା ଯାଦବ ଦୁଇଟି ଲେଖାଏଁ ୱିକେଟ ହାସଲ କରିଥିଲେ । ରେଣୁକା ସିଂହ, ମେଘନା ସିଂହ ଏବଂ ଶେଫାଲି ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଭାରତ ନିଜର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ସହ ଖେଳିଥିଲା । ଏହି ମ୍ୟାଚରେ ୩ୱିକେଟରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାଜିତ କରିଥିଲା । ତେବେ ଅଗଷ୍ଟ ୩ ତାରିଖରେ ବାର୍ବାଡସ ବିପକ୍ଷରେ ତୃତୀୟ ମ୍ୟାଚ୍ ଖେଳିବ ଭାରତୀୟ ମହିଳା ଦଳ ।