ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ, ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା

ବର୍ମିଂହାମ: ଭାରତୀୟ ମହିଳା କ୍ରିକେଟ ଦଳ ରାଜ୍ୟଗୋଷ୍ଠୀ କ୍ରୀଡାରେ ଐତିହାସିକ ବିଜୟ ହାସଲ କରିଛି । ଆୟୋଜକ ଇଂଲଣ୍ଡକୁ ପରାଜିତ କରି ଫାଇନାଲରେ ପହଞ୍ଚିଛି ମହିଳା ଦଳ । ଇଂଲଣ୍ଡ ବିପକ୍ଷ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ୪ ରନରେ ବିଜୟୀ ହୋଇ ରୌପ୍ୟ ପଦକ ପକ୍କା କରିଛି ଭାରତୀୟ ମହିଳା ଦଳ । ଯଦି ମହିଳା ଦଳ ଫାଇନାଲରେ ବିଜୟୀ ହୁଏ ତେବେ ଭାରତ ପାଇଁ ସ୍ୱର୍ଣ୍ଣ ଆଉ ଏକ ସ୍ୱର୍ଣ୍ଣ ଆଣିଦେବେ ।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ ଯିଏ ସେମିଫାଇନାଲରେ ବିଜୟୀ ହେବ ତା ସହ ଭାରତ ଫାଇନାଲ ମ୍ୟାଚ ଖେଳିବ । ଆଜିର ମ୍ୟାଚରେ ପ୍ରଥମେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ୩୨ ବଲ୍ ଖେଳି ୬୧ରନ୍ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ।  ଶେଷ ଭାଗରେ ସେହିପରି ଜେମିମା ରୋଡ୍ରିଗ୍ସ ଅପରାଜିତ ରହି ୪୪ ରନ୍ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୪ ରନ୍  ସଂଗ୍ରହ କରିଥିଲା । ଇଂଲଣ୍ଡ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଥିଲା ।

ହେଲେ ଇଂଲଣ୍ଡ ବିଜୟ ଠାରୁ ମାତ୍ର ୫ରନର ଦୂରରେ ରହି ମ୍ୟାଚଟି ହରାଇଯାଇଛି । ଇଂଲଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସୋଫିଆ ଡଙ୍କଲେ ଏବଂ ଡାନିଏଲି ୱାଟ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଡାନିଏଲେ ୩୫ ରନ୍ କରି ଆଉଟ୍ ହୋଇଯାଇଥିଲେ । ନତାଲି ସ୍କିଭର ମଧ୍ୟ ୪୧ ରନ କରିଥିବା ବେଳେ ଅମି ଜୋନ୍ସ ୩୧ ରନ୍ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ନିଜର ୬ ୱିକେଟ୍ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା ଇଂଲଣ୍ଡ । ଭାରତ ପକ୍ଷରୁ ସ୍ନେହା ରାଣା ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଦୀପ୍ତି ଶର୍ମା ଗୋଟିଏ ୱିକେଟ୍ ହାସଲ କରିଥିଲେ ।