ଆକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରକ୍ଷାକବଚ କରୁଛି ୟୁକ୍ରେନ

କିଭ୍: ୟୁକ୍ରେନର ଖାର୍କିବରେ ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ପଣବନ୍ଦୀ । ସେମାନଙ୍କୁ ହ୍ୟୁମାନ ସିଲ୍ଡ ଭାବେ ବ୍ୟବହାର କରାଯାଉଛି ।  ଏହି ବିସ୍ଫୋରକ ତଥ୍ୟ ଦେଇଛି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ । ଯୁଦ୍ଧର ବିଭୀଷିକା ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ, ଋଷର ଏହି ବୟାନ ଭାରତକୁ ଅଧିକ ଚିନ୍ତିତ କରିଛି । ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ ସୀମା ଛାଡି ବେଲଗୋରୋଡ ଯାଉଥିବା ବେଳେ, ଅନେକ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ କର୍ତ୍ତୃପକ୍ଷ ବଳପୂର୍ବକ ପଣବନ୍ଦୀ କରି ନେଇଛନ୍ତି ।

ଏହି ଆକ୍ରମଣରୁ ରକ୍ଷା ପାଇବା ଲାଗି ୟୁକ୍ରେନ ବାହିନୀ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରକ୍ଷାକବଚ ଭାବେ ବ୍ୟବହାର କରୁଛନ୍ତି । ଭାରତୀୟ ନାଗରିକଙ୍କୁ ଯେପରି ନିରାପଦରେ ଉଦ୍ଧାର କରାଯାଇ ଭାରତ ଫେରାଯାଇପାରିବ ସେଥିପାଇଁ ଋଷ ସଶସ୍ତ୍ରବାହିନୀ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି । ଭାରତୀୟ ବିମାନ କିମ୍ବା ଋଷର ସାମରିକ ପରିବହନକାରୀ ବିମାନରେ ସେମାନଙ୍କୁ ପଠାଯିବା ବ୍ୟବସ୍ଥା କରାଯିବ । ବର୍ତ୍ତମାନ ବି ଅନେକ ଛାତ୍ର ଖାର୍କିବରେ ଫସି ରହିଛନ୍ତି ଏବଂ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳୁନାହିଁ । ଖାର୍କିବ ଉପରେ ପ୍ରାୟତଃ ଋଷ ନିଜର ନିୟନ୍ତ୍ରଣ ଜାରି କରିଥିବା ବେଳେ ଅନେକ ଭାରତୀୟ ଛାତ୍ରୀଙ୍କୁ ୟୁକ୍ରେନର ପଶ୍ଚିମାଞ୍ଚଳ ସୀମାକୁ ଟ୍ରେନରେ ପଠାଇ ଦିଆଯାଇଛି । ଛାତ୍ରଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଥିବା ଜଣାଯାଇଛି ।

ସେହିପରି ଗତକାଲି ରେଳ ଷ୍ଟେସନରେ ଫସିଥିବା ଛାତ୍ରଛାତ୍ରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଇଥିଲା । ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ଯେ, ଷ୍ଟେସନରେ ସେମାନଙ୍କୁ ଆକ୍ରମଣ କରାଯିବା ସହ ଟ୍ରେନରେ ଚଢିବାକୁ ଦିଆଯାଇ ନଥିଲା । ଫଳରେ ସେମାନେ ଚାଲିଚାଲି ବିଭିନ୍ନ ସ୍ଥାନକୁ ଯାଇଥିଲେ । ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିବରେ ଏବେ ଜୋରଦାର ହମଲା ଜାରି ରହିଛି । ଏହାସହ ଗୁଳିଗୋଳା ସହ କ୍ଷେପଣାସ୍ତ୍ର ମାଡରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ଖେରସନ ସହରକୁ ସମ୍ପୂର୍ଣ୍ଣ କବଜା କରିଥିଲେ ଋଷ ବାହିନୀ ।

Leave a Reply