ଫେରିଲେ ଭାରତୀୟ ଛାତ୍ରୀ, ମହଙ୍ଗା ପଡିଲା ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ

1 min read

ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ପଡିଲା ହମାସକୁ ସମର୍ଥନ । ଭାରତୀୟ ଛାତ୍ରୀ ରଞ୍ଜନୀ ଶ୍ରୀନିବାସନଙ୍କୁ ଫେରାଇ ଦେଲା ଆମେରିକା । ଏନେଇ ଘୋଷଣା କରିଛି ଆମେରିକାର ହୋମଲ୍ଯାଣ୍ଡ ସିକ୍ୟୁରିଟି ବିଭାଗ। ରଞ୍ଜନୀଙ୍କ ଭିସା ବାତିଲ ହେବା ପରେ ସ୍ବଦେଶ ଫେରିଛନ୍ତି କଲମ୍ବିଆ ୟୁନିଭର୍ସିଟିର ଛାତ୍ରୀ । କଲମ୍ବିଆ ୟୁନିଭର୍ସିଟିରେ ରଞ୍ଜନୀ ଅର୍ବାନ ପ୍ଲାନିଂରେ ଡକ୍ଟରେଟ କରୁଥିଲେ। ତେବେ ସେ ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ କରିବା ପରେ ତାଙ୍କ ଏଫ-୧ ଭିସା ରଦ୍ଦ ହୋଇଥିଲା। ଗତ ମାର୍ଚ୍ଚ ୫ରେ ରଞ୍ଜନୀଙ୍କ ଭିସାକୁ ବାତିଲ କରିଥିଲା ଆମେରିକ ବୈଦେଶିକ ବ୍ୟାପାର ବିଭାଗ । ସେପଟେ ଏଫ-୧ ଭିସା ଅବଧି ସରିବା ସତ୍ତ୍ବେ ଅଧିକ ଦିନ ରହିବା ଅଭିଯୋଗରେ ୱେଷ୍ଟବ୍ୟାଙ୍କର ଲିକା କୋର୍ଡିଆ ନାମକ ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି । ତେଣେ ବେଆଇନ ଇମିଗ୍ରେସନ ରୋକିବା ଲାଗି ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତି କ୍ରମେ ୪୧ଟି ରାଷ୍ଟ୍ର ଉପରେ ଟ୍ରାଭେଲ ବ୍ୟାନ ଲଗାଯାଇଛି । ସେହି ଦେଶଗୁଡିକ ମଧ୍ୟରେ ରହିଛନ୍ତି ପାକିସ୍ତାନ, ଆଫଗାନିସ୍ତାନ, ଭୁଟାନ, ବେଲାରୁଷ ଆଦି ରାଷ୍ଟ୍ର । ଏହା ସହ ୧୦ ରାଷ୍ଟ୍ରଙ୍କୁ ରେଡ ଲିଷ୍ଟରେ ସାମିଲ କରାଯାଇଛି। ସେହି ରାଷ୍ଟ୍ରଗୁଡିକ ହେଲା ଆଫଗାନିସ୍ତାନ, କ୍ୟୁବା, ଇରାନ, ଲିବ୍ୟା, ନର୍ଥକୋରିଆ, ସୋମାଲିଆ, ସୁଦାନ, ସିରିୟା, ଭେନିଜୁଏଲା ଓ ୟେମେନ । ଏହି ଦେଶର ନାଗରିକଙ୍କ ଉପରେ ସମ୍ପୂର୍ଣ୍ଣ ଭିସା ବାତିଲ କରାଯାଇଛି ।