spot_img

Latest Posts

ଏଣିକି ଶୋଇବାକୁ ଅଫିସରେ ମିଳିବ ଅଧଘଣ୍ଟା ସମୟ

ନୂଆଦିଲ୍ଲୀ: ଚାକିରି କରୁଥିବା ବ୍ୟକ୍ତିଙ୍କୁ ଆଜି କାଲି ବିଶ୍ରାମ ପାଇଁ ଟିକେ ସମୟ ମିଳିବା କଷ୍ଟକର ହୋଇପଡିଛି । ଘରୁ ଅଫିସ୍, ଅଫିସରୁ ଘର ଜାବତୀୟ କାମ ଟେନସନରେ ଚାକିରିଆ ବ୍ୟକ୍ତି ଠିକରେ ବିଶ୍ରାମ ନେବାକୁ ବି ସମୟ ପାଉନାହାନ୍ତି । ଦୁନିଆରେ ଏମିତି କେହି ଚାକିରି କରିଥିବା ବ୍ୟକ୍ତି ନଥିବେ ଯାହାଙ୍କୁ ଅଫିସ ଟାଇମରେ ଥରୁଟିଏ ନିଦ ଆସି ନଥିବ । ନିଦ ଆସିଲେ ବି କାମ ଛାଡି ଶୋଇବାକୁ ବି ଅନୁମତି ନଥାଏ । ଫଳରେ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ବେ କାମ କରିବାକୁ ପଡିଥାଏ । ହେଲେ ଏବେ ଆଉ ଏହି ସମସ୍ୟା ରହିବ ନାହିଁ । ଏଣିକି ଅଫିସ୍ କାମ କରିବା ବେଳେ ଶୋଇ ହେବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଅଫିସ ସମୟରେ ଏବେ ଶୋଇ ହେବ । ଏମିତି ଏକ ପ୍ରୟାସ ଆରମ୍ଭ କରିଛି ଭାରତର ଏକ ଷ୍ଟାଟଅପ୍ କମ୍ପାନୀ ।

ଓ୍ବେକ ଫିଟ୍ ସଲ୍ୟୁସନ ନାମକ ଭାରତୀୟ ଷ୍ଟାଟଅପ୍ କମ୍ପାନୀ ନିଜ କର୍ମଚାରୀଙ୍କୁ ଏମିତି ସୁବିଧା ଦେବା ଆରମ୍ଭ କରିଛି । ଅଫିସ ସମୟରେ କର୍ମଚାରୀଙ୍କୁ ଶୋଇବା ପାଇଁ କମ୍ପାନୀ ଅଧ ଘଣ୍ଟାଏ ସମୟ ଦେଇଛି । ମଧ୍ୟାହ୍ନ ଭୋଜନ ପରେ ଅପରାହ୍ଣ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ କର୍ମଚାରୀ ବିଶ୍ରାମ ନେଇପାରିବେ । ଅଫିସ ସମୟରେ ଶୋଇବାକୁ କର୍ମଚାରୀଙ୍କୁ ସମୟ ଦେବା ଭାରତୀୟ ଷ୍ଟାଟଅପ୍ ଜଗତରେ ହୁଏତ ପ୍ରଥମ ଘଟଣା । କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ବ୍ୟବସ୍ଥା କରିଛି ।

ନିକଟରେ କମ୍ପାନୀର କର୍ମଚାରୀଙ୍କ ପାଖକୁ ଓ୍ବେକଫିଟର ସହ ସଂସ୍ଥାପକ ଚୈତନ୍ୟ ରାମଲିଙ୍ଗଗୌଡାଙ୍କ ଏକ ମେଲ୍ ଆସିଥିଲା । ଅପରାହ୍ଣ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ କର୍ମଚାରୀମାନେ ଶୋଇବାକୁ ସମୟ ପାଇବେ ବୋଲି ଏଥିରେ ଘୋଷଣା କରାଯାଇଥିଲା । ମେଲରେ ସେ ଉଲ୍ଲେଖ କରିଥିଲେ, ‘ଆମେ ୬ ବର୍ଷ ହେଲା ଶୋଇବାକୁ ନେଇ ବ୍ୟବସାୟ କରୁଛନ୍ତି । ହେଲେ ଅପରାହ୍ଣରେ ନିହାତି ଆବଶ୍ୟକ ହେଉଥିବା ବିଶ୍ରାମ ନେବାରେ ବିଫଳ ହୋଇଛନ୍ତି । ଆମେ ଶୋଇବାକୁ ଗମ୍ଭିରତାର ସହ ନେଇଛନ୍ତି, ଆଜିଠାରୁ ଆମେ ଏହାକୁ ଏକ ନୂଆ ଦିଗ ଦେବା ।’

ସେ ଆଗକୁ ଲେଖିଛନ୍ତି, ‘ବିଭିନ୍ନ ସର୍ଭେରୁ ଜଣାପଡିଛି ଅପରାହ୍ଣରେ ସାମାନ୍ୟ ବିଶ୍ରାମ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ କାମ କରିବାକୁ ଆଗ୍ରହ ବଢିଥାଏ । ନାଶାର ଏକ ସର୍ଭେରୁ ଜଣାପଡିଛି ଅପରାହ୍ଣରେ ୨୬ ମିନିଟର ବିଶ୍ରାମ କାମ କରିବାର ଆଗ୍ରହକୁ ୩୩ ପ୍ରତିଶତ ବଢାଇ ଦେଇଥାଏ । ସେହିପରି ହାଓ୍ବାର୍ଡର ସର୍ଭେରୁ ଜଣାପଡିଛି, ଅପରାହ୍ଣରେ ଅଳ୍ପ ସମୟ ଶୋଇବାକୁ ମିଳିଲେ କର୍ମଚାରୀଙ୍କ ମନରୁ ବିରକ୍ତି ଭାବ ଦୂର ହୋଇଥାଏ ଓ ଏହାର ଭଲ ପ୍ରଭାବ କାମ ଉପରେ ପଡିଥାଏ ।’

ଏହାସହ କମ୍ପାନୀ ତରଫରୁ ଟ୍ବିଟର ପେଜରେ ଏକ ପୋଷ୍ଟର ସେୟାର କରାଯାଇଛି । ଏଥିରେ କୁହାଯାଇଛି ବିନା କୌଣସି ବାଧାରେ କର୍ମଚାରୀମାନେ ଆରାମ କରିବା ପାଇଁ ରୁମର ବ୍ୟବସ୍ଥା କରାଯାଉଛି । ଓ୍ବାକଫିଟ କମ୍ପାନୀର ଏହି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟ କିଛି କମର୍ଚାରୀ ନିଜ କମ୍ପାନୀରେ ଏମିତି ବ୍ୟବସ୍ଥା କରାଯିବାକୁ ମତ ଦେଇଛନ୍ତି । ଅନ୍ୟପକ୍ଷରେ ସବୁ କମ୍ପାନୀରେ ଏମିତି ବ୍ୟବସ୍ଥା କରାଯାଇ ପାରିବ ନାହିଁ ବୋଲି ମଧ୍ୟ କିଛି ଲୋକ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, କର୍ମଚାରୀଙ୍କ ଘର ଓ ଅଫିସ କାମରେ ସନ୍ତୁଳିତ କରିବାରେ ଭାରତୀୟ ଷ୍ଟାଟଅପ୍ କମ୍ପାନୀ କେନ୍ଦ୍ର ପାଲଟିଛନ୍ତି । ପୂର୍ବରୁ ଜିରୋଧା ନାମକ କମ୍ପାନୀର ସିଇଓ ସନ୍ଧ୍ୟା ୬ଟା ପରେ ଅଫିସ କାମକୁ ନେଇ କୌଣସି ଆଲୋଚନା ନକରିବାକୁ ନିୟମ କରିଥିଲେ । ଯାହା ବହୁତ ଭାଇରାଲ ହେବା ସହ ଲୋକଙ୍କ ହୃଦୟ ଜିତିଥିଲା ।

Latest Posts

Don't Miss