ରାଜ୍ୟରେ କମିବ ଷ୍ଟାମ୍ପ ଡ୍ୟୁଟି: ବିଧାନସଭାରେ ପାରିତ ହେଲା ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍
1 min read
ଭୁବନେଶ୍ୱର: ରାଜ୍ୟରେ ରିୟଲ ଇଷ୍ଟେଟକୁ ବୁଷ୍ଟର ଡୋଜ । ଏଣିକି ଜମି କିଣାବିକା ଅଧିକ ସହଜ ହେବ । କମିବ ଷ୍ଟାମ୍ପ ଡ୍ୟୁଟି । ଏନେଇ ଆଜି ବିଧାନସଭାରେ ପାସ ହୋଇଛି ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ । ଏହି ବିଲ ଗତ ୨୦୧୬ରୁ ବିଧାନସଭାର ଅନୁମୋଦନ ଅପେକ୍ଷାରେ ରହିଥିଲା । ଏହାଦ୍ୱାରା ନିଜ ପରିବାରର ସଦସ୍ୟଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ପ୍ରାଧିକୃତ କରାଉଥିବା ଦଖଲ ପ୍ରଦାନ ସହ ବିକ୍ରି ପାଇଁ ପାୱାର ଅଫ ଆଟର୍ଣ୍ଣି ଏବଂ ରାଜିନାମା ଉପରେ ଷ୍ଟାମ୍ପ ଡ୍ୟୁଟି ୫ ପ୍ରତିଶତରୁ ୨ ପ୍ରତିଶତକୁ ହ୍ରାସ କରାଯାଇଛି । ପାୱାର ଅଫ ଆଟର୍ଣ୍ଣି ଓ ଉନ୍ନୟନ ରାଜିନାମା ସମାନ ପକ୍ଷ ମଧ୍ୟରେ ସମାନ ସମ୍ପତ୍ତି ପାଇଁ କରାଗଲେ ଷ୍ଟାମ୍ପ ଡ୍ୟୁଟି ଗୋଟିଏ ଦଲିଲ ଉପରେ ପ୍ରଦାନ କରାଯିବ ।
ଅନ୍ୟ ଦଲିଲ ଉପରେ ମାତ୍ର ହଜାରେ ଟଙ୍କା ଆଦାୟ କରାଯିବ । ପୂର୍ବରୁ ରେଜିଷ୍ଟ୍ରୀ ହୋଇଥିବା ଦସ୍ତାବିଜର ପ୍ରମାଣପତ୍ର ନକଲ ପାଇଁ ୧୦ ଟଙ୍କା ପରିବର୍ତ୍ତେ ୧୦୦ ଟଙ୍କା ଷ୍ଟାମ୍ପ ଶୁଳ୍ପ ଆଦାୟ କରାଯିବ । ସେହିଭଳି ସ୍ଥାବର ସମ୍ପତ୍ତିର ବିକ୍ରି ପାଇଁ ବାପା, ମା, ପତ୍ନୀ, ପତି, ପୁଅ, ଝିଅ, ଭାଇ, ଭଉଣୀ, ବୋହୁ, ନାତୀ, ନାତୁଣୀ କିମ୍ବା ଜେଜେ ବାପା ଜେଜେ ମାଆଙ୍କୁ ପାୱାର ଅଫ ଆଟର୍ଣ୍ଣି ପାଇଁ ମାତ୍ର ୧୦୦୦ ଟଙ୍କା ଷ୍ଟାମ୍ପ ଶୁଳ୍ପ ଦେବାକୁ ପଡିବ । ସେହିଭଳି ସରକାରୀ ଜମିର ଉତ୍ତମ ପରିଚାଳନା ପାଇଁ ସରକାରୀ ଜମି ବନ୍ଦୋବସ୍ତ ଅଧିନିୟମ ୧୯୬୨ରେ ସଂଶୋଧନ କରାଯାଇଛି । ଏହା ଅନୁଯାୟୀ ନଜୁଲ, ଗ୍ରାମକଣ୍ଠ ପରମ୍ବୋକ ଏବଂ ଆବାଦୀ ଜମି, ଯେକୌଣସି ସହରାଞ୍ଚଳରେ ବାସପଯୋଗୀ ଭାବେ ପାଞ୍ଚ ବର୍ଷ ପାଇଁ ବ୍ୟବହୃତ ହୋଇଥିଲେ ବ୍ୟବସ୍ଥା ଅନୁଯାୟୀ ଉତ୍ତରାଧିକାରୀ ଏବଂ ହସ୍ତାନ୍ତର ଅଧିକାର ସହିତ ସ୍ଥାୟୀ ଭିତ୍ତିରେ ବନ୍ଦୋବସ୍ତ କରାଯିବ ।
ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ନିୟମ ୧୯୮୩ର ସଂଶୋଧନ କରାଯାଇଛି । ଏହାଦ୍ୱାରା ୨୦୦୯ ଫେବୃଆରୀ ୨୬ର ୩ ବର୍ଷ ପୂର୍ବରୁ ଖାସମାହଲ, ନଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦୀ ବର୍ଗର ଯେକୌଣସି ଜମି ଯେଉଁଠାରେ ଏବଂ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲେ ବି ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ସ୍ଥାୟୀ ବନ୍ଦୋବସ୍ତ କରାଯିବ । କିନ୍ତୁ ୨୦୦୬ ପରେ ଅନେକ କିଣାବିକା ଓ ହସ୍ତାନ୍ତର ହୋଇଥିଲେ ମଧ୍ୟ ସେଗୁଡିକର ବନ୍ଦୋବସ୍ତ ହୋଇପାରୁନି । ତେଣୁ ଏହି ଆଇନରେ ପୁନର୍ବାର ସଂଶୋଧନ କରାଯାଇ ସଂଶୋଧିତ ଆଇନ ଲାଗୁ ହେବା ଦିନଠାରୁ ତିନି ବର୍ଷ ପୂର୍ବରୁ ଦଖଲ କରୁଥିବା ବ୍ୟକ୍ତିଙ୍କ ସପକ୍ଷରେ ସ୍ଥାୟୀ ବନ୍ଦୋବସ୍ତ କରାଯିବ ।