ପୁଣି ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ପୁଣି ଖସିଲା ଭାରତୀୟ ଟଙ୍କାର ମୁଲ୍ୟ । ଏକ ଡଲାର ତୁଳନାରେ ୮୦ ପାର୍‌ ହେଲା ଟଙ୍କାର ମୁଲ୍ୟ । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୦ ଟଙ୍କା ପାର୍‌ ହେଲା ବିନିମୟ ମୁଲ୍ୟ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଟଙ୍କା ଏତେ ମାତ୍ରାରେ ଦୁର୍ବଳ ହୋଇଛି । ଆଗକୁ ଆହରି ଦୁର୍ବଳ ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।

ଟଙ୍କା ମୂଲ୍ୟରେ ଏପରି ହ୍ରାସର କାରଣ ହେଉଛି ବିଶ୍ବ ଜାରି ଅସ୍ଥିରତା । ୟୁକ୍ରେନ ଉପରେ ଋଷିୟାର ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ହୋଇଛି । ଯୁଦ୍ଧ ଆରମ୍ଭ ପରଠାରୁ ବାରଲ ପିଛା ବ୍ରେଣ୍ଟ କ୍ରୁଡ ଦର ୧୦୦ ଡଲାରରୁ ୧୨୩ ଡଲାରକୁ ପହଞ୍ଚିଯାଇଛି । ଏହା ଛଡା ଖାଦ୍ୟ ଯୋଗାଣ ଉପରେ ମଧ୍ୟ ପ୍ରଭାବ ପଡିଛି । ଫଳରେ ସାରା ବିଶ୍ବ ଏବେ ମୂଲ୍ୟବୃଦ୍ଧିର ସମ୍ମୁଖୀନ ହୋଇଛି ।

ମୁଦ୍ରାର ମୂଲ୍ୟ ନିର୍ଦ୍ଧାରଣ ଏହାର ଚାହିଦା ଅନୁସାରେ ହୋଇଥାଏ । ଅର୍ଥାତ ଯେଉଁ ମୁଦ୍ରାର ଚାହିଦା ଅଧିକ ତାହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ ହୋଇଥାଏ । ଏହାର ଦର ଏକ୍ସଚେଞ୍ଜରେ ଧାର୍ଯ୍ୟ ହୋଇଥାଏ, ଯାହା ପ୍ରତିମୂହୁର୍ତ୍ତରେ ବଦଳୁ ଥାଏ । ବିଶ୍ବରେ ବାଣିଜ୍ୟ ବ୍ୟବସାୟର ଏକ ବଡ଼ ଅଂଶ ଡଲାରରେ କାରବାର କରୁଛି ତେଣୁ ବିଶ୍ବ ବଜାରରେ ଡଲାର ଚାହିଦା ମଧ୍ୟ ଅଧିକ ରହିଛି । ଏହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ ମଧ୍ୟ ରହିଛି ।