spot_img

Latest Posts

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ; ଏଣିକି ରିଟର୍ଣ୍ଣ ଟିକେଟ ବୁକ୍ କଲେ ମିଳିବ ୨୦% ରିହାତି

ନନ୍ଦିଘୋଷ ବ୍ୟୁରୋ: ଆପଣ କେବେ ନା କେବେ ଟ୍ରେନରେ ଯାତ୍ରା କରିଥିବେ । ପ୍ରତିଦିନ ଭାରତୀୟ ରେଳର ବ୍ୟବହାର କରି ଲକ୍ଷଲକ୍ଷ ଲୋକ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତି । ଏହାକୁ ନଜରରେ ରଖି ରେଳ ବିଭାଗ ସାରା ଦେଶରେ ହଜାର ହଜାର ଟ୍ରେନ ଚଲାଇଥାଏ । ତେବେ ଭାରତରେ ଯାତ୍ରୀମାନଙ୍କ ସଂଖ୍ୟା ବହୁତ ଅଧିକ ହୋଇଥିବାରୁ ଟ୍ରେନରେ ସାଧାରଣତଃ ଭିଡ ଅଧିକ ହୁଏ । ଆମ ଦେଶରେ ଯାତ୍ରୀ ଅନୁପାତରେ ଟ୍ରେନ ସଂଖ୍ୟା କମ ରହିଥିବାରୁ ପାର୍ବଣ ଋତୁରେ ଟ୍ରେନରେ ସିଟ ମିଳିବା ତ ଦୂରର କଥା ଟ୍ରେନ୍ ଭତରକୁ ପଶିବା ବି କଷ୍ଟ ।  ସାଧାରଣ ଶ୍ରେଣୀରେ ପ୍ରଥମରୁ ଭିଡ ହେଉଥିବାରୁ କୈଣସିମତେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲୋକମାନେ ଟ୍ରେନର ଶୌଚାଳୟରେ ମଧ୍ୟ ଯାତ୍ରା କରିଥାନ୍ତି । ଏସବୁକୁ ନଜରରେ ରଖି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଉପହାର ଦେଇଛନ୍ତି । ଯଦି ଆପଣ ଟିକେଟ୍ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ୨୦ ପ୍ରତିଶତ ରିହାତି ଦିଆଯିବ। ଏନେଇ ରେଳ ମନ୍ତ୍ରଣାଳୟ ଏକ “ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍” ଆରମ୍ଭ କରିଛି।

ପାର୍ବଣ ଋତୁରେ ଟ୍ରେନରେ ପ୍ରବଳ ଭିଡ଼ ଏବଂ ଟିକେଟ୍ ପାଇଁ ଭିଡ଼କୁ ଏଡାଇବା ପାଇଁ ଭାରତୀୟ ରେଳବାଇ ଏକ ନୂତନ ଯୋଜନା ଆରମ୍ଭ କରିଛି। ଏହାର ନାମ ହେଉଛି “ରାଉଣ୍ଡ ଟ୍ରିପ୍ ପ୍ୟାକେଜ ଫର୍ ଫେଷ୍ଟିଭାଲ୍ ରଶ୍” । ଏହି ଯୋଜନାର ଲକ୍ଷ୍ୟ ହେଉଛି ଭିନ୍ନ ଭିନ୍ନ ଦିନରେ ଭିଡ଼କୁ ବାଣ୍ଟିବା ଏବଂ ଯାତ୍ରୀମାନଙ୍କୁ ଶସ୍ତା ମୂଲ୍ୟରେ ଉଭୟ ଯାତ୍ରା ପାଇଁ ଟିକେଟ୍ ପ୍ରଦାନ କରିବା ଯାହା ଦ୍ଵାରା ଯାତ୍ରା ଆରାମଦାୟକ ଏବଂ ସୁବିଧାଜନକ ହୋଇପାରିବ।

ଏହି ଯୋଜନାର ଲାଭ କାହାକୁ ମିଳିବ?

ରେଳବାଇର ଏହି ଯୋଜନା ଅନୁଯାୟୀ ଯଦି ଜଣେ ଯାତ୍ରୀ ଫେରିବା ପାଇଁ ଦୁଇଟି ଟିକେଟ ଏକାଠି ବୁକ୍ କରନ୍ତି, ତେବେ ଟିକେଟର ମୂଳ ଭଡ଼ାରେ୨୦% ରିହାତି ଦିଆଯିବ । ଏହି ରିହାତି କେବଳ ସେହି ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମାନ ନାମ ଏବଂ ବିବରଣୀ ସହିତ ଏକକାଳୀନ ଫେରିବା ଟିକେଟ୍ ବୁକ୍ କରିବେ। ଉଭୟ ଟିକେଟ୍ ସମାନ ଶ୍ରେଣୀ ଏବଂ ସମାନ ଷ୍ଟେସନ୍ ଯୋଡ଼ା (OD ପେୟାର) ହେବା ଉଚିତ । ତେବେ ଏଥିପାଇଁ ଯାତ୍ରୀଙ୍କୁ ଅକ୍ଟୋବର ୧୩ ଓ ୨୬ ତାରିଖ ମଧ୍ୟରେ ଟିକେଟ୍ ବୁକ୍ କରିବାକୁ ପଡ଼ିବ । ଏହାପରେ ରିଟର୍ଣ୍ଣ ଜର୍ଣ୍ଣି ପାଇଁ ନଭେମ୍ବର ୧୭ ଓ ଡିସେମ୍ବର ୧ ତାରିଖ ମଧ୍ୟରେ ’କନେକ୍ଟିଙ୍ଗ ଜର୍ଣ୍ଣି ଫିଚର’ ବୁକ୍ କରିବାକୁ ପଡ଼ିବ । ତେବେ ଏହି ସ୍କିମର ରିହାତି ଯାତ୍ରୀମାନେ ସେତେବେଳେ ପାଇ ପାରିବେ, ଯେତେବେଳେ ଉଭୟ ପଟର ଟିକେଟ ଜଣେ ଯାତ୍ରୀଙ୍କ ନାମରେ କନଫର୍ମ ହେବ ।

ଏସବୁ ଉପରେ ଧ୍ୟାନ ଦେବା ଆବଶ୍ୟକ

ଏହି ନୂତନ ଯୋଜନା ଅନୁଯାୟୀ ପ୍ରଥମେ ରିଟର୍ଣ୍ଣ ଟିକେଟ ବୁକ୍ କରିବାକୁ ପଡିବ । ରିଟର୍ଣ୍ଣ ଟିକେଟ୍ ବୁକ୍ କରିବା ସମୟରେ ଆଗୁଆ ସଂରକ୍ଷଣ ଅବଧି (ARP) ନିୟମ ପ୍ରଯୁଜ୍ୟ ହେବ ନାହିଁ। ସର୍ତ୍ତ ହେଉଛି ଉଭୟ ପାର୍ଶ୍ୱର ଟିକେଟ୍ କେବଳ ନିଶ୍ଚିତ ହେବା ଉଚିତ। ଟିକେଟରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। କୌଣସି ଫେରସ୍ତ ସୁବିଧା ରହିବ ନାହିଁ। ରିଟର୍ଣ୍ଣ ଟିକେଟ୍ ବୁକ୍ କରିବା ସମୟରେ ଅନ୍ୟ କୌଣସି ରିହାତି, ଭାଉଚର, ପାସ୍, PTO କିମ୍ବା ରେଳ ଯାତ୍ରା କୁପନ୍ ପ୍ରଯୁଜ୍ୟ ହେବ ନାହିଁ। ରିଟର୍ଣ୍ଣ ଟିକେଟର ବୁକିଂ ପାଇଁ ଆଡଭାନ୍ସ ରିଜର୍ଭେସନ ପିରିୟଡ ଲାଗୁ ହେବ ନାହିଁ । ରିଟର୍ଣ୍ଣ ଜର୍ଣିଂ ବେସ ଭଡ଼ା ଉପରେ କେବଳ ରିହାତି ଦିଆଯିବ । ଏହି ଯୋଜନା ସମସ୍ତ ଶ୍ରେଣୀ ଏବଂ ସମସ୍ତ ଟ୍ରେନରେ ପ୍ରଯୁଜ୍ୟ । କିନ୍ତୁ ଟ୍ରେନ ଅନ୍ ଡିମାଣ୍ଡ ସମେତ ଫ୍ଲେକ୍ସି ଭଡା ଥିବା ଟ୍ରେନଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ। ଉଭୟ ଟିକେଟକୁ ସମାନ ମାଧ୍ୟମରେ ବୁକ୍ କରିବାକୁ ପଡିବ – ଅନଲାଇନ (ଇଣ୍ଟରନେଟ) କିମ୍ବା ରିଜର୍ଭେସନ କାଉଣ୍ଟରରୁ। ଚାର୍ଟ ପ୍ରସ୍ତୁତି ସମୟରେ ଭଡାରେ କୌଣସି ପାର୍ଥକ୍ୟ ଥିଲେ ଯାତ୍ରୀମାନଙ୍କଠାରୁ କୌଣସି ଅତିରିକ୍ତ ଟଙ୍କା ନିଆଯିବ ନାହିଁ ।

ଏହି ଯୋଜନାର ଉଦ୍ଦେଶ୍ୟ କ’ଣ ?

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁଯାୟୀ ଏହି ଅଫର ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼କୁ ବିଭିନ୍ନ ତାରିଖରେ ବିଭକ୍ତ କରିବ। ଉଭୟ ପାର୍ଶ୍ୱରେ ସ୍ୱତନ୍ତ୍ର ଟ୍ରେନ୍ ସଠିକ୍ ଭାବରେ ବ୍ୟବହାର କରାଯିବ ଏବଂ ଯାତ୍ରୀମାନେ ସହଜରେ ଟିକେଟ୍ ପାଇପାରିବେ। ଏଥିପାଇଁ ଗଣମାଧ୍ୟମ ଏବଂ ଷ୍ଟେସନଗୁଡ଼ିକରେ ଘୋଷଣା ମାଧ୍ୟମରେ ବ୍ୟାପକ ପ୍ରଚାର କରିବାକୁ ରେଳବାଇ ନିର୍ଦ୍ଦେଶ ଦେଇଛି।

 

Latest Posts

Don't Miss