ଭାରତୀୟ ଖେଳାଳିଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ୍: ମ୍ୟାଚ୍ ଖେଳିବାକୁ ଅନିଚ୍ଛା ପ୍ରକାଶ କଲେ ଖେଳାଳି

1 min read

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟକୁ ନେଇ ଅନିଶ୍ଚିତତା । ଟେଷ୍ଟ ସିରିଜ୍ ବିଜୟ ବାଟରେ ବାଧକ ସାଜିଛି କରୋନା । ଜଣଙ୍କ ପରେ ଜଣେ ଭାରତୀୟ ଟିମ୍‌ର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଆଉ ୫ ଟିକିଆ ଟେଷ୍ଟର ଅନ୍ତିମ ମ୍ୟାଚକୁ ନେଇ ଆଶଙ୍କା ଉପୁଜିଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବରୁ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଗତକାଲି ଆଉ ଜଣେ ସଦସ୍ୟ ସଂକ୍ରମିତ ହୋଇଛନ୍ତି ।

ଆଜି ମାଞ୍ଚେଷ୍ଟରରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ଆସିଷ୍ଟାଣ୍ଟ ଫିଜିୟୋ ଯୋଗେଶ ପରମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏକାଧିକ କରୋନା ମାମଲା ଚିହ୍ନଟ ପରେ ମ୍ୟାଚକୁ ନେଇ ଆଶଙ୍କା ଦେଖାଦେଇଛି । ସମସ୍ତ ଖେଳାଳି ଏବେ ହୋଟେଲରେ ଆଇସୋଲେସନରେ ଅଛନ୍ତି । ସକାଳେ ସମସ୍ତଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ ପଞ୍ଚମ ମ୍ୟାଚ୍ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି । ଚଳିତ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି  ।

ଏଣୁ ଅନ୍ତିମ ମ୍ୟାଚ୍ ଅମୀମାଂସିତ ରହିଲେ ମଧ୍ୟ ଭାରତ ଇଂଲଣ୍ଡ ମାଟି ଐତିହାସିକ ବିଜୟ ହାସଲ କରିପାରିବ । କିନ୍ତୁ ଗତକାଲି ହୋଇଥିବା ଭାରତୀୟ ଦଳର ବୈଠକରେ ସେମାନେ ପଞ୍ଚମ ଟେଷ୍ଟ ଖେଳିବା ନେଇ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ଏଭଳି ଭାରତୀୟ ଟିମ୍‌ର ମ୍ୟାଚ୍ ପୂର୍ବର ଅଭ୍ୟାସ ମଧ୍ୟ ବନ୍ଦ ରହିଛି ।

ଏଥିସହିତ ପଢ଼ନ୍ତୁ: ଦୁଇ ଓଡ଼ିଆ ମହିଳା ହକି ଖେଳାଳିଙ୍କୁ କାର୍ ଉପହାର ଦେଲା ଟାଟା କମ୍ପାନୀ

Leave a Reply