୩ ଘଣ୍ଟା ପରେ ସରିଲା ପନ୍ତଙ୍କ ଅପରେସନ୍, ଜାଣନ୍ତୁ ଅପଡେଟ୍

1 min read

ମୁମ୍ବାଇ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ ମୁମ୍ୱାଇରେ ଚିକିତ୍ସାଧିନ ଅଛନ୍ତି । ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ପନ୍ତଙ୍କ ୩ ଘଣ୍ଟା ଧରି ଚାଲିଥିବା ଏକ ଅସ୍ତ୍ରୋପଚାର ସଫଳତାପୂର୍ବକ ଶେଷ ହୋଇଛି । ବର୍ତ୍ତମାନ ପନ୍ତ ସୁସ୍ଥ ଥିବା ସୂଚନା ମିଳିଛି ।
ଶୁକ୍ରବାର ପନ୍ତଙ୍କର ଲିଗାମେଣ୍ଟ ସର୍ଜରୀ ହୋଇଥିବା ବେଳେ ଡା. ଦିନେଶ ପାଦରୀୱାଲା ଏହି ସର୍ଜରୀ କରିଥିବା ଜଣାପଡ଼ିଛି। ଏଭଳି ଏକ ବଡ ଧରଣର ସର୍ଜରୀ ପରେ ୩ରୁ ୪ ଦିନ ପର୍ଯ୍ୟନ୍ତ ଏକ ବଡ଼ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ରହିବେ । ପନ୍ତଙ୍କର ଏହି ଅସ୍ତ୍ରୋପଚାର ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ମୁଣ୍ଡ, ପିଠି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ଡେରାଡୁନର ମାକ୍ସ ହସ୍ପିଟାଲରେ ପନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ବିସିସିଆଇ ପନ୍ତଙ୍କୁ ଏୟାରଲିପ୍ଟ କରି ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଆଘାତ ପାଇଁ ପନ୍ତଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଏବଂ ଦିନିକିଆ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳରେ ସାମିଲ କରାଯାଇ ନଥିଲା । ବିସିସିଆଇ ତାଙ୍କୁ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଯାଇ ସେଠାରେ ଚିକିତ୍ସା ସହିତ ପ୍ରଶିକ୍ଷଣ ପାଇଁ କହିଥିଲା । କିନ୍ତୁ ଏହା ପୂର୍ବରୁ ପନ୍ତ ଖ୍ରୀଷ୍ଟମାସ ପାଳିବା ପାଇଁ ଦୁବାଇ ଯାଇଥିଲେ । ସେଠାରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ଖ୍ରୀଷ୍ଟମାସ ପାଳନ କରିଥିଲେ । ସେଠାରୁ ପନ୍ତ ଭାରତ ଫେରି ଦିଲ୍ଲୀରୁ ତାଙ୍କ କାରରେ ନିଜ ଘର ରୁଡକୀ ଯିବା ସମୟରେ ଦୁର୍ଘଟଣା ଘଟିଥିଲା ।