ଚାମ୍ପିୟନଶିପ ସେମିରେ କିଏ ମାରିବ ବାଜି: ଭାରତ ଓ ଅଷ୍ଟ୍ରେଲିଆା ମଧ୍ୟରୁ କାହା ସପକ୍ଷରେ ରହିଛି ଇତିହାସ?
1 min read
ଆଇସିସି ଚାମ୍ପିୟନଶିପ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମୁକାବିଲା ଆଜି ଦ୍ବିପ୍ରହର ୨.୩୦ରେ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ ମ୍ୟାଚଗୁଡ଼ିକରେ ଭାରତୀୟ ଟିମର ରେକର୍ଡ ଗତ ୧୪ ବର୍ଷରେ ଅତ୍ୟନ୍ତ ଖରାପ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା କୌଣସି ମ୍ୟାଚ ହାରି ନାହିଁ । ଗ୍ରୁପ ଷ୍ଟେଜରେ ଭାରତ ୩ଟି ମ୍ୟାଚ ଖେଳି ୩ଟି ଜିତିଛି । ଏବେ ସେମିରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ ପାଇଁ ଲକ୍ଷ୍ୟ ରଖିଛି ଭାରତ । ମାତ୍ର ରୋହିତ ବ୍ରିଗେଡ ପାଇଁ ଏହା ଏତେ ସହଜ ହୋଇନପାରେ ।
ଗତ ୧୪ ବର୍ଷରେ ଅଷ୍ଟ୍ରେଲିଆା ବିପକ୍ଷରେ ଭାରତର ଚାମ୍ପିୟନ୍ସ ଟ୍ରଫିର ନକଆଉଟ ମ୍ୟାଚର ରେକର୍ଡ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଯେବେ ବି ଦୁଇ ଟିମ୍ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି, ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୨୦୦୭ ଓ ୨୦୧୧ ଦିନିକିଆ ବିଶ୍ବକପରେ ଭାରତ ବିଜୟୀ ହୋଇଥିଲା । ଦୁଇଥର ନକଆଉଟ ମୁକାବିଲାରେ ଭାରତ କଙ୍ଗାରୁକୁ ମାତ୍ ଦେଇଥିଲା । ଯଦି ଏଥର ସେମିରେ ଭାରତୀୟ ଟିମ୍ ଜିତେ, ତେବେ ଟ୍ରଫି ଜିତିବା ପକ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ ମ୍ୟାଚରେ ଉଭୟ ଟିମ୍ ପରସ୍ପରକୁ ୭ ଥର ଭେଟିଥିବା ବେଳେ ଭାରତ ୩ଟିରେ ଓ ଅଷ୍ଟ୍ରେଲିଆ ୪ଟିରେ ବିଜୟୀ ହୋଇଛି । ୨୦୧୧ ବିଶ୍ବକପ ପରଠାରୁ ଭାରତୀୟ ଟିମର ଖରାପ ସ୍ଥିତି ଦେଖିବାକୁ ମିଳିଛି ।
୨୦୧୧ ବିଶ୍ବକପ ପରେ ୨୦୧୫ ବିଶ୍ବକପ ସେମିରେ ଭାରତ ପରାଜିତ ହୋଇଥିଲା । ୨୦୨୩ ବିଶ୍ବକପ ଫାଇନାଲ ଓ ୨୦୨୩ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତକୁ ପରାଜର ସାମ୍ନା କରିବାକୁ ପଡ଼ିଥିଲା । ୨୦୨୩ ବିଶ୍ବକପରେ ଏକ ଗ୍ରୁପ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆାକୁ ପରାସ୍ତ କରିଥିଲା । ଏଥର ଅଷ୍ଟ୍ରେଲିଆ ଟିମର ବହୁ ଷ୍ଟାର ଖେଳାଳି ପ୍ଲେଇ-୧୧ ବାହାରେ ରହିଛନ୍ତି । ତେଣୁ ଏଥର କଙ୍ଗାରୁ ସାମାନ୍ୟ ଦୁର୍ବଳ ମନେହେଉଛି, ମାତ୍ର ତାହାକୁ ହେୟଜ୍ଞାନ ମନେ କରିବା ଅନୁଚିତ ।