ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଦିଲ୍ଲୀରେ ବିପୁଳ ସ୍ୱାଗତ ସମ୍ୱର୍ଦ୍ଦନା: ଅନୁଭୂତି ବଖାଣିଲେ ଖେଳାଳି

1 min read

ନୂଆଦିଲ୍ଲୀ: ଦରିଆ ପାରିରେ ଇତିହାସ ରଚି ଦିଲ୍ଲୀ ଫେରିଲେ ଭାରତୀୟ ଅଲିମ୍ପିଆନ । ସାଇନିଂ ଷ୍ଟାରଙ୍କୁ ରାଜଧାନୀ ଦିଲ୍ଲୀରେ ଶାନଦାର ସ୍ୱାଗତ । ଅଲିମ୍ପିକ୍ସ ହିରୋଙ୍କ ସ୍ୱାଗତ ପାଇଁ ଉତ୍ସବମୁଖର ହେଲା ଦିଲ୍ଲୀ ଏୟାରପୋର୍ଟ । ଅସମ୍ଭାଳ ଭିଡ଼ ଭିତରେ ଢୋଲ, ମହୁରୀ ବଜାଇ ଟୋକିଓ ହିରୋଙ୍କୁ ପାଛୋଟି ନେଲେ ରାଜଧାନୀବାସୀ । ସ୍ୱାଗତ କରିବାକୁ ଦିଲ୍ଲୀ ବିମାନବନ୍ଦର ବାହାରେ ଭବ୍ୟ ଆୟୋଜନ କରାଯାଇଥିଲା । ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ରୌପ୍ୟ ବିଜେତା ରବି ଦହିୟା ଓ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ବକ୍ସର ଲଭଲିନା ଓ ପୁରୁଷ ହକି ଟିମକୁ ବିମାନବନ୍ଦର ବାହାରେ ଗ୍ରାଣ୍ଡ ସ୍ୱାଗତ କରିଥିଲା ଦିଲ୍ଲୀ । ସମସ୍ତ ବିଜେତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଞ୍ଚ ଉପରେ ଅଲିମ୍ପିକ୍ସ ଅଭିଜ୍ଞତା ବଖାଣିଥିଲେ ବିଜେତା । ଏହି ଅବସରରେ ଦେଶବାସୀ ଅଜସ୍ର ଭଲ ପାଇବା ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ସମସ୍ତ ଖେଳାଳି । ସମାରୋହରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ କ୍ରୀଡା ମନ୍ତ୍ରୀ କିରଣ ରିଜୁଜୁ ସାମିଲ ହୋଇଥିଲେ । ଟୋକିଓ ଅଲିମ୍ପିକ୍ସରେ ୭ଟି ପଦକ ଜିତି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଅଲିମ୍ପିକ୍ସ ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିଛନ୍ତି ହରିୟାଣାର ନୀରଜ ଚୋପ୍ରା। ମଣିପୁରର ଆଇରନ୍ ଲେଡି ମୀରାବାଇ ଚାନୁ ଦେଶପାଇଁ ପ୍ରଥମ ରୌପ୍ୟ ଜିତିଛନ୍ତି । ରେସଲିଂରେ ରବି କୁମାର ଦହିୟା ଦେଶ ପାଇଁ ଦ୍ୱିତୀୟ ରୌପ୍ୟ ପଦକ ଜିତିଛନ୍ତି । ବକ୍ସିଂରେ ବ୍ରୋଞ୍ଜ ଜିତିଛନ୍ତି ଆସାମର ଲଭଲିନା । କୁସ୍ତିରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ଜିତିଥିବା ବେଳେ ହକିରେ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଛି । ୪୧ ବର୍ଷ ପରେ ମେଡାଲ୍ ଜିତି ଇତିହାସ ରଚିଛନ୍ତି ପୁରୁଷ ହକି ଦଳ। ଟିମ୍‌ ସେମିରେ ହାରିବା ପରେ ପ୍ଲେ-ଅଫରେ ବେଲଜିୟମକୁ ହରାଇଥିଲା। ସେହିପରି ବ୍ୟାଡ୍‌ମିଣ୍ଟନରେ ବ୍ରୋଞ୍ଜ ଜିତିଛନ୍ତି ହାଇଦ୍ରାବାଦର ପିଭି ସିନ୍ଧୁ । ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତ ରୌପ୍ୟ ଜିତିଥିବା ବେଳେ ସ୍ୱର୍ଣ୍ଣ ଜିତି ଅଭିଯାନ ଶେଷ କରିଥିଲା ।

ଏଥିସହିତ ପଢ଼ନ୍ତୁ: ବିରାମ ନେଲା କ୍ରୀଡ଼ା ମହାକୁମ୍ଭ ଟୋକିଓ: ଆମେରିକାର ହାତେଇଲା ସର୍ବାଧିକ ପଦକ, ଶେଷରେ ଭାରତକୁ ସ୍ୱର୍ଣ୍ଣ

Leave a Reply