ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ୱର: ରାଜଭବନ ନିକଟର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି । ୨୪ ଘଣ୍ଟାର ଚିକିତ୍ସା ପରେ ଆଖି ବୁଜିଛନ୍ତି ଗୁରୁତର ଆହତ ହୋଇଥିବ ହର୍ଷବର୍ଦ୍ଧନ ଶ୍ରୀବାସ୍ତବ । ବିସ୍ଫୋରଣ ପର ଠାରୁ ଅନ୍ୟ ଜଣେ ସୀମାଞ୍ଚଳ ପରିଡ଼ା ନିରୁଦ୍ଦିଷ୍ଟ ଅଛନ୍ତି । ଏଯାଏଁ ସୀମାଞ୍ଚଳଙ୍କ କୌଣସି ଖୋଜ ଖବର ମିଳିନାହିଁ ।
ମୃତାହତ ଓ ନିରୁଦ୍ଦିଷ୍ଟ ସୂର୍ଯ୍ୟ ଶକ୍ତି ଭେସେଲ ପ୍ରାଇଭେଟ୍ ଲିମିଟେଡ୍, ଫରିଦାବାଦ କମ୍ପାନୀର କର୍ମଚାରୀ । ଆଇଓସି ଥାର୍ଡ ପାର୍ଟି ହିସାବରେ ଟେଣ୍ଡର ଜରିଆରେ ଏମାନଙ୍କୁ କାମରେ ନିୟୋଜିତ କରିଥିଲା । ବୁଧବାର ମଧ୍ୟାହ୍ନରେ ରାଜଭବନ ନିକଟ ଇଣ୍ଡିଆନ୍ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପ୍ରଥମେ ନିଆଁ ଲାଗିବା ପରେ ଫାଟି ଯାଇଥିଲା ଟାଙ୍କି ।
ଘଟଣାରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦେବା ପାଇଁ ଇଣ୍ଡିଆନ୍ ଅଏଲ୍ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କୁ ୪ ଲକ୍ଷ ଟଙ୍କା ଦିଆଯିବ । ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।