ନନ୍ଦଘୋଷ ବ୍ୟୁରୋ: ବଢ଼ିଲା ଭାରତୀୟ ନୌସେନା ବଳ। ନୌସେନାରେ ସାମିଲ ହେଲା ଆଇଏନଏସ ମାହେ। ଆତ୍ମନିର୍ଭର ଭାରତ ଯୋଜନାରେ କୋଚିନ ସିପୟାର୍ଡ ଲିମିଟେଡରେ ନିର୍ମିତ ଜାହାଜକୁ ମୁମ୍ବାଇରେ ଆୟୋଜିତ ଉତ୍ସବରେ ନୌସେନାରେ ସାମିଲ କରାଯାଇଛି। ଆଣ୍ଟିସବମେରିନ ୱାରଫେର ସାଲୋ ୱାଟର କ୍ରାଫ୍ଟ ବା ASW-SWC ସିରିଜର ଏହା ହେଉଛି ପଞ୍ଚମ ଜାହାଜ। ଏହି ଉତ୍ସବରେ ସାମିଲ ହୋଇଥିଲେ ଆର୍ମିଚିଫ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ଭାଇସ ଆଡମିରାଲ କ୍ରିଷ୍ଣା ସ୍ବାମିନାଥନଙ୍କ ସମେତ ବହୁ ପଦାଧିକାରୀ। ଏହି ବର୍ଗର ନୌଜାହାଜ ଅତି ଶକ୍ତିଶାଳୀ ହୋଇଥିବାବେଳେ ଲକ୍ଷ୍ୟଭେଦୀ ହମଲା ସାମର୍ଥ୍ୟ ହାସଲ କରିଛି। ବିଭିନ୍ନ ବୁଜ଼ାଜାହାଜକୁ ଏହା ଚିହ୍ନଟ କରି ଧ୍ବଂସ କରିବା ସହ ଉପକୂଳରେ ପାଟ୍ରୋଲିଂ କରିବାକୁ ସକ୍ଷମ ହୋଇଥାଏ. ଦେଶର ସାମୁଦ୍ରିକ ତଟବର୍ତ୍ତୀ ସୁରକ୍ଷାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାର ଯନ୍ତ୍ରାଂଶର ୮୦ ପ୍ରତିଶତ ସ୍ବଦେଶୀ ନିର୍ମିତ। ବିଭିନ୍ନ ମିଶନରେ ଏହା ମୁତୟନ ହୋଇପାରିବ। ଜଳ ଭିତରେ ଶତ୍ରୁପକ୍ଷର ନଜର, ସର୍ଚ୍ଚ ଓ ରେସ୍କ୍ୟୁ ମିସନ, ମାଇନ ବିଛାଇବା, ପାଟ୍ରୋଲିଂ, ବୁଡାଜାହାଜ ବିଧ୍ବଂସୀ ଅପରେସନ ଆଦିରେ ଆଇଏନଏସ ମାହେ ଦେଖାଇପାରିବ ଦବଦବା। ଏହାର ବିସ୍ଥାପନ କ୍ଷମତା ୧୧୦୦ଟନ ଥିବାବେଳେ ଏହାର ଲମ୍ବ ୭୮ ମିଟର।

