ଭାରତ ମହାସାଗରରେ ଚୀନ ଜାହାଜ, ଆଲର୍ଟରେ ଭାରତୀୟ ନୌସେନା

1 min read

ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ପ୍ରବେଶ କରିଥିବା ଚୀନର ଏକ ଜାହାଜ ଉପରେ ଭାରତୀୟ ନୌସେନାର ସତର୍କ ଦୃଷ୍ଟି । ଭାରତୀୟ ନୌସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଏହାର ସାଜସରଞ୍ଜାମ ପ୍ରତି ସଜାଗ ଦୃଷ୍ଟି ରଖାଯିବା ସହ ଏରିଆଲ ସର୍ଭେଲାନ୍ସକୁ ଗୁରୁତ୍ବ ଦିଆଯାଉଛି । ଆକାଶମାର୍ଗ ଓ ସାମୁଦ୍ରିକ ଯନ୍ତ୍ରାଂଶ ଜରିଆରେ ଜାହାଜ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।

ସୁନ୍ଦା ଷ୍ଟ୍ରେଟ ଜରିଆରେ ଭାରତ ମହାସାଗରୀୟ ଅଞ୍ଚଳରେ ପ୍ରବେଶ କରିଥିବା ଏହି ଜାହାଜର ପ୍ରକୃତ ଉଦ୍ଦେଶ୍ଯ ସ୍ପଷ୍ଟ ହୋଇ ନଥିବାବେଳେ ଲଙ୍ଗ-ରେଞ୍ଜ ଅନମ୍ୟାନଡ ଏରିଆଲ ଭେହିକଲ ଜରିଆରେ ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ପକ୍ଷରୁ ଆସନ୍ତା ଦିନରେ ମିସାଇଲ ପରୀକ୍ଷା ହେବାକୁ ଯାଉଥିବା ବେଳେ, ଚୀନ ଜାହାଜ ଏହାର ଟ୍ରାକ କରିବା ଲାଗି ଯୋଜନା କରୁଥିବା କୁହାଯାଉଛି ।

ସେପଟେ ଚୀନ ପକ୍ଷରୁ କୁହାଯାଇଛି ଏହି ଗବେଷଣାମୂଳକ ଜାହାଜ ବିଭିନ୍ନ ପଡୋଶୀ ରାଷ୍ଟ୍ର ଉପରେ ଲକ୍ଷ୍ଯ ରଖିବା ଉଦ୍ଦେଶ୍ଯରେ ମୁତୟନ କରାଯାଇଛି । ପୂର୍ବରୁ ଗତ ଅଗଷ୍ଟରେ ହାମ୍ବନଟୋଟା ବନ୍ଦରରେ ନିଜର ସ୍ପାଏ ସିପ୍ ୟୁଆନଓ୍ବାଙ୍ଗକୁ ରଖିବା ଲାଗି ଶ୍ରୀଲଙ୍କା ଉପରେ ଚାପ ପକାଇଥିଲା ଚୀନ । ଭାରତ ମହାସାଗରରେ ଚୀନର ଜାହାଜ ରହିବା ନେଇ କୁଦାନକୁଲାମ ଓ କଳ୍ପକ୍କମ ନ୍ୟୁକ୍ଳିୟର ରିଆକ୍ଟର ଏବଂ ଚେନ୍ନାଇ ଓ ଥୁଥୁକୁଦି ବନ୍ଦର ପ୍ରତି ବିପଦ ରହିଛି ବୋଲି ଆଶଙ୍କା ବ୍ୟକ୍ତ କରୁଛି ଭାରତ ।