କେବେ ଫେରିବେ କାବୁଲରେ ଫସିଥିବା ଦୁଇ ହଜାର ଭାରତୀୟ?
କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ଭାରତ ଆଗରେ ବହୁ ସମସ୍ୟା ମୁଣ୍ଡଟେକି ଠିଆ ହୋଇଛି । ସେଥିରେ ସବୁଠୁ ବଡ଼ ସମସ୍ୟା ହେଉଛି ଭାରତୀୟଙ୍କୁ କିଭଳି ପ୍ରତ୍ୟାବର୍ତ୍ତନ କରାଯିବ। ଭାରତୀୟ ଦୂତାବାସ ସହ ସମ୍ପର୍କ କରିଥିବା ଲୋକମାନଙ୍କୁ ଫେରାଇ ଅଣା ଯାଇଥିବା ବେଳେ ଆହୁରି ଅନେକ ସେଠାରେ ଫସି ରହିଛନ୍ତି । ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ବାୟୁସେନା ବିମାନ ପ୍ରସ୍ତୁତ ରହିଥିବା ବେଳେ ଏବେ ଖାଲି କ୍ଲିୟରାନ୍ସକୁ ଅପେକ୍ଷା।
ବାୟୁସେନା ବିମାନରେ ଏଯାଏଁ ୧୮୦ ନାଗରିକଙ୍କୁ ଅଣାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଦୂତାବାସ କର୍ମଚାରୀ ରହିଛନ୍ତି । କାବୁଲରେ ଭାରତୀୟ ଦୂତାବାସ ଏବେବି କାମ କରୁଛି । ଯେଉଁ ଭାରତୀୟ ମାନେ ଆଫଗାନିସ୍ତାନରେ ଫସି ରହିଛନ୍ତି ସେମାନେ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।
ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ତାଲିବାନ କବଜା କରିଥିବା ବେଳେ କାବୁଲ ଏୟାରପୋର୍ଟରେ କଡା ବଳୟରେ ରହିଛି। ଯାହା ଫଳରେ ଏୟାରପୋର୍ଟରେ ପହଞ୍ଚିବା ଏତେଟା ସହଜ ନୁହେଁ । ଅପରପକ୍ଷେ କାବୁଲ ଏୟାରପୋର୍ଟରେ ଆମେରିକା ଓ ନାଟୋ ଫୋର୍ସ ସେଫ୍ ପେସେଜରେ ମୁତୟନ ରହିଛନ୍ତି । ଭାରତୀୟ ବିମାନକୁ ଅନୁମତି ମିଳିବା ପରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ କରାଯିବ ।
ତେବେ ସୁରକ୍ଷାକୁ ନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟିର ଏକ ବୈଠକ ହୋଇଥିଲା ।