ହକି ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ଟିମ୍ କୋଚ୍ ଗ୍ରାହମ ରିଡଙ୍କ ଇସ୍ତଫା

ଭୁବନେଶ୍ୱର: ଭାରତୀୟ ହକି ଟିମର ମୁଖ୍ୟ କୋଚ୍ ଗ୍ରାହମ ରିଡ୍ ଇସ୍ତଫା ଦେଇଛନ୍ତି । ହକି ବିଶ୍ୱକପରେ ଭାରତୀୟ ଦଳର ନୈରାଶ୍ୟଜନ ପ୍ରଦର୍ଶନ ପରେ ସେ ଇସ୍ତଫା ଦେଇଛନ୍ତି । ନିକଟରେ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲା ଦୁଇଟି ସ୍ଥାନରେ ହକି ବିଶ୍ୱକପର ଆୟୋଜନ ହୋଇଥିଲା । ଗତକାଲି ଫାଇନାଲ୍ ମ୍ୟାଚ୍ ହୋଇଥିଲା । ବେଲଜିୟମକୁ ହରାଇ ଜର୍ମାନୀ ବିଶ୍ୱବିଜୟୀ ହୋଇଥିଲା ।

ହେଲେ ଭାରତ ଚଳିତ ବିଶ୍ୱକପରେ କ୍ୱାଟରଫାଇନାଲରେ ସ୍ଥାନ ବନାଇ ପାରିନଥିଲା । କ୍ରସ୍ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ହାରି ବିଶ୍ୱକପ୍ ଅଭିଯାନ ଶେଷ କରିଥିଲା । ତେବେ ମୁଖ୍ୟ କୋଚ ଗ୍ରାହମ ରିଡଙ୍କ ବ୍ୟତୀତ ଆନାଲିଟିକାଲ କୋଚ୍ ଗ୍ରେଗ କ୍ଲାର୍କ ଏବଂ ସାଇଣ୍ଟିଫିକ୍ ଆଡଭାଇଜର ମିଚେଲ ଡେଭିଡ ପେମ୍ବରଟନ ମଧ୍ୟ ଇସ୍ତଫା ଦେଇଛନ୍ତି ।

ହକି ବିଶ୍ୱକପରେ ଭାରତ ନବମ ସ୍ଥାନରେ ରହିଥିଲା । ରିଡଙ୍କୁ ଏପ୍ରିଲ ୨୦୧୯ରେ ଭାରତର କୋଚ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ ନୀରିକ୍ଷଣରେ ଭାରତୀୟ ଦଳ ୨୦୨୧ରେ ଟୋକିଓ ଅଲିମ୍ପିକରେ ଐତିହାସିକ କାଂସ୍ୟ ପଦକ ଜିତିଥିଲା । ୫୮ ବର୍ଷୀୟ ଅଷ୍ଟ୍ରେଲୀୟ ରିଡ ଭୁବନେଶ୍ୱରରେ ବିଶ୍ୱକପ ସମାପନର ଗୋଟେ ଦିନ ପରେ ହକି ଇଣ୍ଡିଆର ସଭାପତି ଦିଲୀପ ତୀର୍କିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ।

ରିଡ ଇସ୍ତଫା ଦେଇ କହିଛନ୍ତି, ଏବେ ସମୟ ଆସି ଯାଇଛି ଯେ ମୁଁ ପଦ ଛାଡିଦେବି ଏବଂ ଆଗାମୀ ମ୍ୟାନେଜମେଣ୍ଟକୁ ଦାୟିତ୍ୱ ଦେଇଦେବି । ଟିମ ଏବଂ ହକି ଇଣ୍ଡିଆ ସହ କାମ କରିବା ସମ୍ମାନ ଏବଂ ସୌଭାଗ୍ୟର କଥା ଅଟେ । ମୁଁ ଏହି ଚମତ୍କାର ଯାତ୍ରାର ପ୍ରତିଟି ସମୟର ଆନନ୍ଦ ନେଇଛି । ମୁଁ ଟିମକୁ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି ।