ଇସ୍ରାଏଲରୁ ଉଦ୍ଧାର ହେବେ ଫସିଥିବା ଭାରତୀୟ, ଆରମ୍ଭ ହେଲା ଅପରେସନ ଅଜୟ

ଜେରୁଜେଲମ: ଇସ୍ରାଏଲରୁ ଉଦ୍ଧାର ହେବେ ଫଶିଯାଇଥିବା ଭାରତୀୟ । ଭାରତ ସରକାର ଆରମ୍ଭ କଲେ ଅପରେସନ ଅଜୟ । ଖୁବଶୀଘ୍ର ସେଠାରେ ଫସିରହିଥିବା ଭାରତୀୟ ସ୍ବଦେଶ ଫେରିବେ । ସେପଟେ ଉତ୍ତର ଇସ୍ରାଏଲରେ ପଶିଛନ୍ତି ହମାସର ଆତଙ୍କୀ । ପାଖାପାଖି ୨୦ ଜଣ ଆତଙ୍କୀ ଇସ୍ରାଏଲରେ ବଡ଼ ଧର ଆକ୍ରମଣ କରିବାକୁ ଯୋଜନା କରିଛନ୍ତି । ଏପଟେ ଇସ୍ରାଏଲ ସରକାର ସେଠାକାର ଲୋକଙ୍କୁ ସତର୍କ ରହିବାକୁ କହିବା ସହ ସେନା ପଠାଯାଇଛି । ଗାଜା ଦଖଲ ପାଇଁ ଇସ୍ରାଏଲ ନିଜର ହମଲାକୁ ଜୋରଦାର କରିଛି ।

ଗାଜାର ଆଖପାଖ ଅଞ୍ଚଳକୁ ନିଜ ଦଖଲକୁ ନେଇଥିବା ଇସ୍ରାଏଲ ଏବେ ଆଉ ପାଦ ଆଗେଇଛି । ଖୁବଶୀଘ୍ର ଇସ୍ରାଏଲ କବଜାକୁ ଗାଜା ଚାଲି ଆସିବ । ଗାଜାକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ କରାଯାଇଛି । ଏବେ ସଂପୂର୍ଣ୍ଣ ଗାଜା ଷ୍ଟ୍ରିପ ଅନ୍ଧକାରମୟ ହୋଇ ଯାଇଛି । ଇସ୍ରାଏଲ ଆକ୍ରମଣ ପରଠାରୁ ପାଲେଷ୍ଟାଇନ ଏନକ୍ଲେଭରେ ଥିବା ଏକ ମାତ୍ର ବିଜୁଳି ଷ୍ଟେସନ କାମ କରୁଥିଲା । ଏବେ ସେଠାରେ ତେଲ ଶେଷ ହୋଇ ଯାଇଛି । ଫଳରେ ପାୱାର ଷ୍ଟେସନ ମଧ୍ୟ କାର୍ଯ୍ୟକ୍ଷମ ହେଉନି । ପୂରା ଗାଜା ଅନ୍ଧାର ଭିତରେ ରହୁଛି ।

ଦୁଇ ଦିନ ତଳେ ଇସ୍ରାଏଲ ପକ୍ଷରୁ ଗାଜାକୁ ସଂପୂର୍ଣ୍ଣ ଅନ୍ଧକାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଇସ୍ରାଏଲ ଖାଦ୍ୟ ଓ ତେଳ ଯୋଗାଣ ଗାଜାକୁ ବନ୍ଦ କରି ଦେଇଥିଲା । ଅନ୍ୟପକ୍ଷରେ ତେଲଅଭିଭରେ ଥିବା ଇସ୍ରାଏଲର ବେନଗୁରିଅନ ଏୟାରପୋର୍ଟ ଉପରେ ହମାସ ଆତଙ୍କବାଦୀମାନେ ରକେଟ ମାଡ଼ କରିଛନ୍ତି । ଏଥିପାଇଁ ଏୟାରପୋର୍ଟ ଓ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏୟାରପୋର୍ଟରେ ସମସ୍ତ ସେବାକୁ ବାତିଲ କରି ଦିଆଯାଇଛି । ସେପଟେ ଆମେରିକା ଇସ୍ରାଏଲକୁ ଯୁଦ୍ଧ ପାଇଁ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଗତକାଲି ଏକ ବିମାନ ଭର୍ତ୍ତି ଯୁଦ୍ଧାସ୍ତ୍ର ଆମେରିକା ଇସ୍ରାଏଲକୁ ପଠାଇଛି ।