spot_img

Latest Posts

ଓଡ଼ିଶାରେ ହକି ହିରୋ: କହିଲେ, ଓଡ଼ିଶାବାସୀଙ୍କ ଭଳି ଭଲପାଇବା ଅନ୍ୟ ରାଜ୍ୟରେ ଏତେଟା ଦେଖିବାକୁ ମିଳେନାହିଁ

ଭୁବନେଶ୍ୱର: ଓଡିଶାବାସୀଙ୍କ ହୃଦୟରେ ରହିଛି ହକି । ଓଡ଼ିଶାବାସୀଙ୍କ ଭଲ ପାଇବା ଆଉ କେଉଁଠି ବି ମିଳେନି । ହକି ପାଇଁ ଓଡ଼ିଶାବାସୀଙ୍କ ଭଲ ପାଇବେ କେବେ ବି ଭୁଲି ହେବନି । ଓଡ଼ିଶାରେ ଖେଳିଲା ବେଳେ ଏମିତି ଲାଗେ ଆମେ ୧୧ ଜଣ ପଡ଼ିଆରେ ଖେଳୁନାଁହୁଁ, ବରଂ ସମସ୍ତ ଦର୍ଶକ ଆମ ସହ ଖେଳୁଛନ୍ତି । ଏଣୁ ଓଡ଼ିଶାରେ ଖେଳିଲା ବେଳେ ଆମକୁ ବହୁତ ଉତ୍ସାହ ମିଳେ । ହକି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଭଲ କାମ କରୁଛନ୍ତି । ନବୀନଙ୍କ ପାଇଁ ହକି ଆଜି ନୂଆ ପରିଚୟ ପାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କହିବା ସହ ଓଡ଼ିଶାବାସୀ ଓ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ପୁରୁଷ ଓ ମହିଳା ହକି ଟିମ୍ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆମେ ଓଡ଼ିଶାରେ ଖେଳିଛୁ । ଅନ୍ୟ ସ୍ଥାନ ଅପେକ୍ଷା ଓଡ଼ିଶାରେ ଖେଳିବାକୁ ବହୁତ ଭଲ ଲାଗେ ବୋଲି କହିଛନ୍ତି ଗୋଲ କିପର ଶ୍ରୀଜେସ୍ ।

ଭାରତୀୟ ହକିର ଭବିଷ୍ୟତ ଏବେ ଉଜ୍ଜ୍ୱଳ ହେଉଛି । ଓଡ଼ିଶା ସରକାର ହକି ପାଇଁ ସହଯୋଗର ହାତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ହକିର ସ୍ଥିତି ବଦଳିଯାଇଥିବା କହିଛନ୍ତି ପୁରୁଷ ହକି ଟିମର ଅଧିନାୟକ ମନପ୍ରିତ୍ ସିଂହ । ଏବେ ବିଶ୍ୱକପ ଉପରେ ଫୋକସ ରହିବ । ଆମ ଟିମରେ ଓଡ଼ିଶା ଖେଳାଳି ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ଟିମର ପରସ୍ପର ମଧ୍ୟରେ ଭଲ ବୁଝାମଣା ରହିଛି । ଓଡ଼ିଶାରେ ଯେଉଁ ଭଳି ଭିତ୍ତିଭୂମି ରହିଛି ତାହା ଆନ୍ତର୍ଜାତିକ ସ୍ତରର ଅଟେ ।

ଓଡିଶା ସରକାରଙ୍କ ତରଫରୁ ଅନ୍ତର୍ଜାତୟସ୍ତରର ସୁବିଧା, ସୁଯୋଗ ଯୋଗାଇ ଦିଆଯାଉଛି । ଆଗକୁ ଏସିଆନ୍ ଗେମସ୍ ଓ କମନ୍ ଓ୍ବେଲଥ୍ ଗେମ ରହିଛି । ଏସିଆନ୍ ଗେମରେ ଭଲ ପ୍ରଦର୍ଶନ କଲେ ପ୍ୟାରିସ ଅଲିମ୍ପିକ ପାଇଁ କ୍ୱାଲିଫାଇ କରିବୁ । ୨୦୨୩ ହକି ବିଶ୍ଵକପ୍ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ହକି ଇଣ୍ଡିଆ ଲିଗ ଆଉ ଥରେ ଆରମ୍ଭ ହେବା ଉଚିତ୍ । ଏହା ଦ୍ୱାରା ତଳସ୍ତରରୁ ଆହୁରି ଭଲ ଖେଳାଳି ଭାରତୀୟ ଟିମ୍ କୁ ଆସି ପାରିବେ ବୋଲି ଖେଳାଳିମାନେ କହିଥିଲେ । ଏହି ଅବସରରେ ଅଲିମ୍ପିକ୍ସ ଅଭିଜ୍ଞତା ବଖାଣିଥିଲେ ହକି ହିରୋମାନେ । ଦୀର୍ଘ ୪୧ ବର୍ଷ ପରେ ପୁରୁଷ ହକି ଟିମ୍ ମେଡାଲ୍ ହାତେଇଛି ଏହା ଦେଶ ପାଇଁ ଗର୍ବ ଆଉ ଗୌରବର କଥା ।

Image

ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶାଳ ପ୍ରୋସେସନରେ ହୋଟେଲକୁ ହକି ଖେଳାଳିଙ୍କୁ ନିଆଯାଇଥିଲା । ମାଦଳ ଠାରୁ ଆରମ୍ଭ କରି ଘୋଡ଼ା ବାଘ ଭାଲୁ ନାଚରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ମାଦଳ ଏବଂ ଶଂଙ୍ଖ ଶଦ୍ଧରେ ଉଛୁଳି ପଡ଼ିଥିଲା ବିମାନବନ୍ଦର ପାଖ।

Image

ସନ୍ଧ୍ୟାରେ ପୁରୁଷ ଓ ମହିଳା ହକି ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହୋଟେଲେ ପହଞ୍ଚିଲା ପରେ ସେଠାରେ ମଧ୍ୟ ମହିଳା ଏବଂ ପୁରୁଷ ହକି ଦଳକୁ ଭବ୍ୟ ସ୍ୱାଗତ କରାଯିବାର ବ୍ୟବସ୍ଥା ରହିଛି। ଖେଳାଳିଙ୍କ ପାଇଁ ହୋଟେଲ ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଖେଳାଳିମାନେ ହୋଟେଲରେ ପହଞ୍ଚିବା ପରେ ପ୍ରଥମେ କେକ୍ କାଟିଥିଲେ ।

Image

କେକ୍‌ କାଟିବା ପରେ ହୋଟେଲରେ ବିଶ୍ରାମ ପାଇଁ ଯାଇଥିଲେ । ଖେଳାଳିଙ୍କ ମନପସନ୍ଦର ଖାଦ୍ୟ ମେନ୍ୟୁ ପ୍ରସ୍ତୁତ କରାଯାଇଛି। ହକି ଟିମର ମନପସନ୍ଦର ଖାଦ୍ୟ ମଟନ ଦମ ବିରିଆନି ଓ ଗାର୍ଲିକ ନାନ୍ ହୋଇଥିବା ବେଳେ ବ୍ରେକଫାଷ୍ଟରେ ଫ୍ରୁଟ୍ ବାସ୍କେଟ, ଫ୍ରେସ ଫ୍ରୁଟ୍ ଜୁସ, ମିଲ୍କ ସେକ୍ ଆଦି ରହିଛି।

ଲଞ୍ଚରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍ ଓ  ଆମିଷରେ ଲସୁନୀ କବାବ୍, ତନ୍ଦୁରୀ ଚିକେନ ଆଦି ରହିଛି। ଓଡ଼ିଆ ଖାଇବା ମଧ୍ୟ ମେନୁରେ ସ୍ଥାନ ପାଇଛି। ସେହିପରି ରାତ୍ରିଭୋଜନ ପାଇଁ ମଧ୍ୟ ସ୍ୱତନ୍ତ୍ର ମେନ୍ୟୁ ରହିଛି। ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ମନ ଜିଣିଛି ହକି ଟିମ୍। ପୁରୁଷ ଟିମ୍ ବ୍ରୋଞ୍ଜ ମେଡାଲ୍ ପାଇଥିବା ବେଳେ ମହିଳା ଟିମ୍ ଭଲ ପ୍ରଦର୍ଶନ କରିଛି।

Latest Posts

Don't Miss