ପାକିସ୍ତାନରେ ଉଡ଼ିଲା ତିରଙ୍ଗା: ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଲା ଭାରତର ଚମକ
1 min read
କରାଚୀ: ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ବିବାଦ ଘେରକୁ ଚାଲିଆସିଥିଲା । କରାଚୀ ଓ ଲାହୋର ଷ୍ଟାଡିୟମରେ ୭ଟି ଦେଶର ପତାକା ଲଗାଯାଇଥିଲା, ମାତ୍ର ଭାରତର ପତାକା ଦେଖିବାକୁ ମିଳିନଥିଲା । ଉକ୍ତ ଘଟଣାକୁ ନେଇ ପାକିସ୍ତାନ ବିଶ୍ବ ଦରବାରରେ ସମାଲୋଚିତ ହୋଇଥିଲା । ତେବେ ଏହା ମଧ୍ୟରେ ଆଜି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ ଅବସରରେ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଭାରତର ଚମକ । ଷ୍ଟାଡିୟମରେ ଫର ଫର ହୋଇ ଉଡ଼ିଛି ତିରଙ୍ଗା, ଯାହାକି ଭାରତର ରାଷ୍ଟ୍ରୀୟ ଗୌରବ ପ୍ରତୀକକୁ ବହନ କରିଛି ।
ଆଜି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଛନ୍ତି । ଏହି ମୁକାବିଲା ପୂର୍ବରୁ ପାକିସ୍ତାନ ତିରଙ୍ଗାକୁ ଲଗାଇ ଦେଇଥିଲା । ଏହି ତିରଙ୍ଗାକୁ ଦେଖି ପଡ଼ିଆରେ ମ୍ୟାଚ ଦେଖୁଥିବା ଓ ଟିଭି ପରଦାରେ ଥିବା କୋଟି ଭାରତୀୟଙ୍କ ମନରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ଭାରତର ଜାତୀୟ ପତାକାକୁ ଷ୍ଟାଡିୟମରେ ରଖି ନଥିବାରୁ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସୋସିଆଲ ମିଡ଼ିଆରେ ଏନେଇ ବେଶ ଚର୍ଚ୍ଚା ହୋଇଥିଲା । ଭାରତୀୟ ଟିମ୍ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ତେଣୁ ପିସିବି ଏହି ପଦକ୍ଷେପ ଗ୍ରହଣ କରିଥିଲା ବୋଲି କୁହାଯାଇଥିଲା । ଏହି ଘଟଣା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବ୍ୟାକଫଟକୁ ଚାଲିଯାଇଥିଲା । ତେବେ ପାକିସ୍ତାନ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ପତାକା ଲଗାଇଥିଲେ ବି ଏକ ବଡ଼ ଭୁଲ କରିଦେଇଥିଲା । କରାଚୀରେ ପଡ଼ିଆରେ କାମ କରୁଥିବା ଲୋକମାନେ ଭାରତୀୟ ପତାକାକୁ ଓଲଟା ଲଗାଇ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନ ତା’ର ଭୁଲ ସୁଧାରି ନେଇଥିଲା ।