ମ୍ୟାଚ ପୂର୍ବରୁ ବିବାଦ, ଷ୍ଟାଡିୟମରୁ ହଟାଯାଇଛି ଭାରତୀୟ ପତାକା
1 min read
ନନ୍ଦିଘୋଷ ବ୍ୟୁରୋ: ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟାନ୍ସ ଟ୍ରଫି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ପାକିସ୍ତାନ ଏକ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ସୁରକ୍ଷା କାରଣରୁ ଭାରତୀୟ ଦଳ ପାକିସ୍ତାନରେ ମ୍ୟାଚ୍ ଖେଳିବ ନାହିଁ । ଭାରତୀୟ ଦଳ ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ତେବେ ମ୍ୟାଚ ପୂର୍ବରୁ ଏକ ବଡ ବିବାଦ ଦେଖାଯାଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କରାଚୀର ନ୍ୟାସନାଲ ଷ୍ଟାଡିୟମର, ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକର ପତାକା ଉତ୍ତୋଳନ କରାଯାଇଛି, କିନ୍ତୁ ଏଥିରେ ଭାରତୀୟ ପତାକା ନାହିଁ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ବିବାଦ ଆରମ୍ଭ ହୋଇଛି। ଏଥିରେ ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।
ଦେଖନ୍ତୁ ଭାଇରାଲ ହୋଇଥିବା ଭିଡିଓ ..
ଏହା ପଛର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, କିନ୍ତୁ ବିଶ୍ୱାସ କରାଯାଉଛି ଯେ ଟିମ୍ ଇଣ୍ଡିଆ ଦୁବାଇରେଏହାର ମ୍ୟାଚ୍ ଖେଳିବ, ସେଥିପାଇଁ ଭାରତୀୟ ପତାକା ଉତ୍ତୋଳନ କରାଯାଇ ନାହିଁ। ଏ ସମ୍ପର୍କରେ ପିସିବି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ । ଭିଡିଓ ଭାଇରାଲ ହେବା ପରେ ସବୁ ମହଲରୁ ପାକିସ୍ତାନକୁ କଡା ସମାଲୋଚନା କରାଯାଉଛି ।