ଭାରତୀୟ ଆଇଡ୍ରପକୁ ନେଇ ଆମେରିକାରେ ଆତଙ୍କ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସହ କିଛି ଲୋକ ହରାଇଲେ ଦୃଷ୍ଟିଶକ୍ତି

1 min read

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏକ ଆଇ ଡ୍ରପକୁ ନେଇ ଆମେରିକାରେ ଆତଙ୍କ । ଲୋକେ ଦୃଷ୍ଟିଶକ୍ତି ହରାଇବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏହାକୁ ନେଇ ଚେନ୍ନାଇସ୍ଥିତ ଗ୍ଲୋବାଲ ଫାର୍ମା ହେଲଥକେୟାର ପ୍ରାଇଭେଟ ଲିମିଟେଡରେ ତାମିଲନାଡୁ ଡ୍ରଗ କଣ୍ଟ୍ରୋଲର ଓ ସେଣ୍ଟ୍ରାଲ ଡ୍ରଗ କଣ୍ଟ୍ରୋଲ ଅଥରିଟିର ଚଢ଼ାଉ । କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏଜ୍ରିକେୟାର ଆର୍ଟିଫିସିଆଲ ଟିୟର୍ସ ଆଇ ଡ୍ରପର ବିଷାକ୍ତ ପ୍ରକ୍ରିୟା ପ୍ରକାଶ ପାଇବା ପରେ ଆମେରିକାରୁ ଏହି ଔଷଧକୁ ପ୍ରତ୍ୟାହାର କରିନେଇଛି କମ୍ପାନୀ । ଏହି ଆଇ ଡ୍ରପ ବ୍ୟବହାର କରିବା ପରେ ଆମେରିକାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏବଂ କେତେକ ବ୍ୟକ୍ତି ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବା ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଥିବା ନେଇ ଅଭିଯୋଗ ଆସିଥିଲା ।

ତାମିଲନାଡୁ ଡ୍ରଗ କଣ୍ଟ୍ରୋଲର ଡାକ୍ତର ପି.ଭି. ବିଜୟଲକ୍ଷ୍ମୀ କହିଛନ୍ତି ଆମେରିକାକୁ ପଠାଯାଇଥିବା ଆଇ ଡ୍ରପର ନମୁନା ସଂଗ୍ରହ କରାଯାଇଛି । କମ୍ପାନୀରେ ଚଢ଼ାଉ କରାଯିବା ସହ ଏହି ଔଷଧର ଉତ୍ପାଦନ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆମେରିକାକୁ ପଠାଯାଇଥିବା ତଥା ସିଲ୍ ଖୋଲାଯାଇ ନଥିବା ଆଇ ଡ୍ରପକୁ ଫେରାଇ ଅଣାଯାଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ସେପଟେ ଗ୍ଲୋବାଲ ଫାର୍ମା ପକ୍ଷରୁ କୁହାଯାଇଛି- ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ସହ ଯୋଗସୂତ୍ର ରଖାଯାଇଛି । ଏହି ପ୍ରଡକ୍ଟକୁ ବ୍ୟବହାର ନକରିବା ଲାଗି ମଧ୍ୟ ଆମେରିକାର ଉପଭୋକ୍ତାମାନଙ୍କୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି ।

ତେଣେ ଆମେରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା ସିଡିସି ପକ୍ଷରୁ ଏଜିକେୟାର ଆର୍ଟିଫିସିଆଲ ଟିୟର୍ସ ଆଇ ଡ୍ରପର ନମୁନାକୁ ପରୀକ୍ଷା କରିଛି । ସେହିପରି ଏହି ଡ୍ରପର ଆମଦାନୀ ଉପରେ କଟକଣା ଜାରି କରିଛି ଏଫଡିଏ । ଏହି ଡ୍ରପ ବ୍ୟବହାର କରିବାପରେ ଲୋକମାନେ ସ୍ୟୁଡୋମୋନାସ ଏରୋଗିନୋସା ନାମକ ରୋଗର ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବା ସହ ଅନ୍ୟାନ୍ୟ ସମସ୍ୟାରେ ପଡ଼ିଥିଲେ । ଏପରିକି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିବା ଅଭିଯୋଗ ହୋଇଥିଲା । ସ୍ୟୁଡୋମୋନାସ ଏରୋଗିନୋସା ଏପରି ଏକ ରୋଗ ଯାହା ରକ୍ତ, ଫୁସଫୁସରେ ସଂକ୍ରମଣ କରିଥାଏ । ଭାରତୀୟ କଫ ସିରପ ଖାଇ ଗତବର୍ଷ ଗାମ୍ବିଆ ଓ ଉଜବେକିସ୍ତାନରେ ୮୦ରୁ ଅଧିକ ଶିଶୁ ପ୍ରାଣ ହରାଇବା ପରେ ଆଇଡ୍ରପକୁ ନେଇ ଏବେ ପୁଣି ବିପଦ ମୁଣ୍ଡ ଟେକିଛି ।