ଓ୍ବିଣ୍ଟର ଅଲମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ବର୍ଜନ କରିବ ଭାରତ

1 min read

ନୂଆଦିଲ୍ଲୀ: ବେଜିଂ ଓ୍ବିଣ୍ଟର ଅଲମ୍ପିକ୍ସକୁ ନେଇ ବଢ଼ିଲା ବିବାଦ । ଚୀନର ନିଷ୍ପତ୍ତିକୁ ଭାରତର ଜୋରଦାର ପ୍ରତିବାଦ । ଓ୍ବିଣ୍ଟର ଅଲମ୍ପିକ୍ସର ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ବର୍ଜନ କରିବ ଭାରତ । ଉତ୍ସବ ବର୍ଜନ ନେଇ ସୂଚନା ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ସେହିପରି ବେଜିଂ ଓ୍ୱିଣ୍ଟର ଅଲମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବର ସିଧାପ୍ରସାରଣ କରିବ ନାହିଁ ବୋଲି କହିଛି ଡିଡି ସ୍ପୋର୍ଟ୍ସ । ଏନେଇ ପ୍ରସାର ଭାରତୀ ସିଇଓ ଶଶୀ ଶେଖର ଭମ୍ପତ୍ତି ସୂଚନା ଦେଇଛନ୍ତି ।

ବେଜିଂରେ ହେବାକୁ ଥିବା ଓ୍ୱିଣ୍ଟର ଅଲମ୍ପିକ୍ସର ଗଲଓ୍ବାନ ସଂଘର୍ଷରେ ଜଡ଼ିତ ସୈନ୍ୟ ଅଲିମ୍ପିକ୍ସର ମଶାଲ ଧରିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ଜଣାଇଛି ଭାରତ । ୨୦୨୦ ଜୁନରେ ଗଲଓ୍ବାନରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା କ୍ୟୁଇ ଫାବାଓ ମଶାଲ ଧରିବେ ବୋଲି ଚୀନ ଘୋଷଣା କରିଥିଲା । ଫାବାଓଙ୍କୁ ଭାରତୀୟ ସୈନ୍ୟ ଧରିବା ପରେ ଛାଡ଼ି ଦିଆଯାଇଥିଲା । ୨୦୨୦ ଜୁନ୍ ସଂଘର୍ଷରେ ଚୀନ ସୈନ୍ୟଙ୍କ ନେତୃତ୍ବ ନେଇଥିଲେ ଫାବାଓ ଓ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ । ଏହି ଘଟଣାରେ ଅପରେସନ ସ୍ନୋ ଲିଓପାର୍ଡରେ ଭାରତର ନେତୃତ୍ବ ନେଉଥିବା କର୍ଣ୍ଣେଲ ବିକ୍କୁମାଲ୍ଲା ସନ୍ତୋଷ ବାବୁଙ୍କ ମୃତ୍ୟୁ ଘଟିଥିଲା ।

ଭାରତ ପୂର୍ବରୁ ଚୀନର ଏହି ପଦକ୍ଷେପକୁ ଆମେରିକା ବିରୋଧ କରିବା ସହ ନିନ୍ଦା କରିଛି । ଚୀନର ଏପରି ପଦକ୍ଷେପକୁ ଲଜ୍ଜାଜନକ କହିବା ସହ ବେଜିଂ ଓ୍ୱିଣ୍ଟର ଖେଳର ରାଜନୀତିକରଣ କରୁଥିବା ଆମେରିକା କହିଛି । ଆମେରିକାର ବୈଦେଶିକ ମାମଲାର ସଂସଦୀୟ କମିଟିରେ ସାମିଲ ସିନେଟର ଚୀନର ଏହି ନିଷ୍ପତ୍ତିକୁ ଲଜ୍ଜାଜନକ ବୋଲି କହିଛନ୍ତି ।

Leave a Reply