କରୋନା ଦୁନିଆକୁ ବଦଳାଇ ଦେବ, ଭାରତୀୟ ଡାକ୍ତରଙ୍କ ଉପରେ ବିଶ୍ୱର ନଜର

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କର୍ଣ୍ଣାଟକର ରାଜିବ ଗାନ୍ଧି ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସିଲଭର ଜୁବୁଲି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦୁନିଆ ବଦଳିଯିବା ଭଳି କରୋନା ପରେ ବିଶ୍ୱ ବଦଳିଯିବ ।

କରୋନା ମୁକାବିଲାରେ ଫ୍ରଣ୍ଟଲାଇନରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ସ୍ୱାସ୍ଥ୍ୟକର୍ମୀ ସୈନିକ ଭଳି କାର୍ଯ୍ୟ କରୁଛନ୍ତି ଓ ଦେଶ ପାଇଁ ଯୁଦ୍ଧ ଲଢୁଛନ୍ତି । କରୋନା ଭାଇରସ ଦେଖାଯାଉନି କିନ୍ତୁ କରୋନା ଯୋଦ୍ଧାଙ୍କ ପରିଶ୍ରମ ଦେଖିବାକୁ ମିଳୁଛି । ସମଗ୍ର ଦୁନିଆର ନଜର ଏବେ ଭାରତୀୟ ଡାକ୍ତରଙ୍କ ଉପରେ ରହିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମିଶନ ଇନ୍ଦ୍ରଧନୁଷ,ଆୟୁଷ୍ମାନ ଭାରତ ଯୋଜନା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଦେଶର ସ୍ୱାସ୍ଥ୍ୟ ସିଷ୍ଟମରେ ନୂଆ କ୍ରାନ୍ତି ଆଣିଛି । ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତରେ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ,ଆଜି ଦେଶରେ ପିପିଇ କିଟ୍,ଏନ୍-୯୫ ମାସ୍କ ତିଆରି ହେଲାଣି । ଦେଶରେ ତିଆରି ହୋଇଥିବା ଆରୋଗ୍ୟ ସେତୁ ଆପକୁ ଏପର୍ଯ୍ୟନ୍ତ ୧୨ କୋଟି ଲୋକ ଡାଉନଲୋଡ୍ କରିସାରିଲେଣି ।

ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ସେ କହିଥିଲେ ଯେ, ଏସବୁକୁ ବରଦାସ୍ତ କରାଯାଇ ପାରିବ ନାହିଁ । ଯିଏ ବି ଏମିତି କରିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ସ୍ୱାସ୍ଥ୍ୟକର୍ମୀଙ୍କୁ ବୀମା ସୁବିଧା ଦିଆଯାଇଥିବା କଥା ମଧ୍ୟ ସେ କହିଥିଲେ ।

Leave a Reply