ସର୍ବାଧିକ ଶତକ, ୧୪ ଅର୍ଦ୍ଧଶତକ: ଇଂଲଣ୍ଡ ବିପକ୍ଷରେ ରନବର୍ଷା କରେ ମେନ ଇନ୍‌ ବ୍ଲୁ

ସିଡନୀ: ଟି ୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ  । ୯ ବର୍ଷ ପରେ ଆଇସିସିର ନକଆଉଟରେ ମୁହାଁମୁହିଁ ହେବେ ଦୁଇ ଟିମ  । ୨୦୧୩ରେ ଚାମ୍ପିଅନ ଟ୍ରଫି ଫାଇନାଲରେ ଇଂଲଣ୍ଡକୁ ଚକମା ଦେଖାଇଥିଲା ମେନ୍‌ ଇନ ବ୍ଲୁ  । ସେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଚାମ୍ପିଅନ ହୋଇଥିଲା ଭାରତୀୟ ଟିମ  । ଏବେ ପୁଣି ଥରେ ଟି ୨୦ ବିଶ୍ବକପରେ ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ  । ଫାଇନାଲ ଟିକେଟ ହାତେଇବାକୁ ଦୁଇ ଟିମ କରିବେ କଡା ପ୍ରୟାସ  । ପୂର୍ବରୁ ବି ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ ଦମଦାର ପ୍ରଦର୍ଶନ ଦେଖାଇ ସାରିଛି  । ଭାରତୀୟ ବ୍ୟାଟରଙ୍କ ଧୂଆଁଧାର ପ୍ରର୍ଦଶନରେ ଘାଇଲା ହୋଇଛନ୍ତି ଇଂଲିଶ ଟିମ  ।

ଟି ୨୦ରେ ଭାରତୀୟ ବ୍ୟାଟର ୧୦ଟି ଶତକ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି  । କେବଳ ଇଂଲଣ୍ଡ ବିପକ୍ଷରେ ୩ଟି ଶତକ ରହିଛି  । ଟି ୨୦ରେ ଭାରତୀୟ ବ୍ୟାଟରଙ୍କ କୌଣସି ଟିମ ବିରୋଧରେ ଏହା ସର୍ବାଧିକ ଶତକ  । ଇଂଲଣ୍ଡ ବିରୋଧରେ ଟି୨୦ ରେ ଶତକ କରିଥିବା ବ୍ୟାଟରଙ୍କ ମଧ୍ୟରେ ରହିଛନ୍ତି ରୋହିତ ଶର୍ମା, କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ  । ଚଳିତ ସିଜିନରେ ଟି୨୦ରେ ଶତକ କରି ଇଂଲଣ୍ଡ ବିପକ୍ଷ ସେଞ୍ଚୁରୀ କ୍ଲବରେ ସାମିଲ ହୋଇଛନ୍ତି ସୂର୍ଯ୍ୟକୁମାର  ।

ସେହିପରି ଇଂଲଣ୍ଡ ବିପକ୍ଷରେ ଟି ୨୦ରେ ଭାରତୀୟ ବ୍ୟାଟର ୧୪ଟି ଅର୍ଦ୍ଧଶତକ କରିଛନ୍ତି  । ଇଂଲିଶ ଟିମ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ବିରାଟ କୋହଲି  । ତାଙ୍କ ବ୍ୟତୀତ ରୋହିତ ଶର୍ମା ମଧ୍ୟ ଇଂଲଣ୍ଡ ବିରୋଧରେ ଦୁଇଟି ଅର୍ଦ୍ଧଶତକ ଖେଳିଛନ୍ତି  । ମହେନ୍ଦ୍ର ସିଂ ଧୋନି, କେ ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ସୁରେଶ ରୈନା, ଗୌତମ ଗମ୍ଭୀର, ଶ୍ରେୟସ ଆୟାର ଓ ଯୁବରାଜ ସିଂ ମଧ୍ୟ ଏଭଳି ଖେଳାଳୀ ଯେଉଁମାନେ ଟି ୨୦ରେ ଇଂଲଣ୍ଡକୁ ଧୂଳି ଚଟାଇବାରେ ସମର୍ଥ ହୋଇଛନ୍ତି  ।

ଇଂଲଣ୍ଡ ବିରୋଧରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳୀଙ୍କ ତାଲିକାରେ ଭାରତୀୟ ବ୍ୟାଟର୍‌ଙ୍କ ଦବଦବା ରହିଛି  । ଏଶନ ଫିଞ୍ଚ୍‌ଙ୍କ ପରେ ଟି ୨୦ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ କରି ରେକର୍ଡ କରିଛନ୍ତି କିଙ୍ଗ କୋହଲି  । ଇଂଲିଶ ଟିମ ବିରୋଧରେ ୧୯ଟି ମ୍ୟାଚ୍‌ରେ ୪ଟି ଅର୍ଦ୍ଧଶତକ ଖେଳି ୫୮୯ ରନ  ଯୋଡିଛନ୍ତି  । ୫୭ ଚଉକା ଓ ୧୭ ଛକା ମାରି  ଇଂଲଣ୍ଡ ବୋଲରଙ୍କୁ ଧରାଶାୟୀ କରିଥିଲେ ବିରାଟ  । ସେହିପରି ରୋହିତ ଶର୍ମା ମଧ୍ୟ ୧୩ଟି ମ୍ୟାଚରେ ୩୮୩ ରନ ଖେଳି ଇଂଲିଶ ଟିମର ବଡ ପ୍ରତିବନ୍ଧକ ସାଜିଥିଲେ  । ଯେଉଁଥିରେ କେବଳ ଟି ୨୦ରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି  । ତୃତୀୟ ସ୍ଥାନରେ ମହେନ୍ଦ୍ର ସିଂ ଧୋନି ଇଂଲଣ୍ଡ ବିପକ୍ଷରେ ଟି ୨୦ର ୧୨ଚି ମ୍ୟାଚ ଖେଳି ୨୯୬ ରନ ଯୋଡିଛନ୍ତି  ।

ଟି ୨୦ ବିଶ୍ବକପରେ ଇଂଲଣ୍ଡ ବିରୋଧରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ବର୍ଷୁଛି ଧୂଆଁଧାର ରନ ବର୍ଷା  । ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚରେ ୨୬୦ ରନ କରିଛନ୍ତି ସୂର୍ଯ୍ୟ  । ଟି ୨୦ରେ ପ୍ରଥମ ଅର୍ଦ୍ଧଶତକ ଓ ଶତକ କ୍ଲବରେ ସାମିଲ ହେବାକୁ ସୂର୍ଯ୍ୟ କୁମାରଙ୍କୁ ସହାୟକ ହୋଇଛନ୍ତି ଇଂଲିଶ ବୋଲର  । ସେହିପରି ହାର୍ଦ୍ଦିର ପାଣ୍ଡ୍ୟା ୧୧ଟି ମ୍ୟାଚରେ ୨୧୬ ରନ କରିଥିବାବେଳେ କେଏଲ ରାହୁଲ ୨୧୦ ରନ ସଂଗ୍ରହ କରିଛନ୍ତି  । ଯଦି ଏହି ବ୍ୟାଟରଙ୍କ ମଧ୍ୟରୁ କାହାର ବ୍ୟାଟ କମାଲ କରେ ଫାଇନାଲ ଟିକେଟ ନିଶ୍ଚିତ ହାତେଇବ ଭାରତୀୟ ଟିମ୍‌  ।