ସ୍ବିଜରଲାଣ୍ଡ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଚମିକିବ ଭାରତ

ନୂଆଦିଲ୍ଲୀ: ଜର୍ମାନୀ ପରେ ସ୍ବିଜରଲାଣ୍ଡରେ ହେବ ଟଫ୍ କମ୍ପିଟିସନ । ବିଶ୍ବ ଦକ୍ଷତା ପ୍ରତିଯୋଗିତାର ଆଉ ଦୁଇଟି ଇଭେଣ୍ଟ ସ୍ବିଜରଲାଣ୍ଡର ଆରୁରେ ଆରମ୍ଭ ହୋଇଛି । ଗ୍ରାଫିକ୍ସ ଡିଜାଇନ ଓ ପ୍ରିଣ୍ଟିଂ ଟେକ୍ନୋଲୋଜିକୁ ନେଇ ପ୍ରତିଯୋଗିତା ହେବାକୁ ଥିବାବେଳେ ଏଥିରେ ୨୫ଟି ଦେଶର ପ୍ରତିଯୋଗୀ ଭାଗ ନେଇଛନ୍ତି । ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ । ଏକ ସ୍ବତନ୍ତ୍ର ଉତ୍ସବରେ ସବୁ ପ୍ରତିଯୋଗୀଙ୍କୁ ସ୍ବାଗତ କରାଯାଇଛି । ଏହି ପ୍ରତିଯୋଗିତାରେ ଭାରତର ଦୁଇ ଜଣ ପ୍ରତିଯୋଗୀ ସ୍ଥାନ ପାଇଛନ୍ତି । ଅନ୍ୟପଟେ ଏହା ପୂର୍ବରୁ ହୋଟେଲ ରିସେପସନରେ ଭାରତର ଅନୁଶ୍ରୀ ଶ୍ରୀବାସ୍ତବ ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ସଂଖ୍ୟା ୪କୁ ବୃଦ୍ଧି କରିଛନ୍ତି ।

ସ୍ବିଜରଲାଣ୍ଡରେ ବଛା ବଛା ବ୍ରେନ ଦେଖାଇବେ ଦକ୍ଷତା । ଚକୋଲେଟ ଓ କାରୁକାର୍ଯ୍ୟ ଭରା ଘଣ୍ଟା ନର୍ମାତାଙ୍କ ଦେଶରେ ପାରଦର୍ଶିତା ଦେଖାଇବେ ଯୁବ ବୈଜ୍ଞାନିକ । ମିନି ସ୍ବିଜରଲାଣ୍ଡ ଭାବେ ପ୍ରସିଦ୍ଧ ଆରୁ ସହରରେ ଆରମ୍ଭ ହୋଇଛି ବିଶ୍ବ ଦକ୍ଷତା ମହାକୁମ୍ଭର ଆଉ ଏକ ସଂସ୍କରଣ । ସିଭି ରମଣ ଗ୍ଲୋବାଲ ୟୁନିର୍ଭସିଟିର ସ୍ବାଗତ ଚୌଧୁରୀ ପ୍ରିଣ୍ଟିଂ ଟେକ୍ନୋଲୋଜିରେ ଓ ମହାରାଷ୍ଟର ଷ୍ଟିଭେନ ହାରିସ୍ ରାମଦେବ ଗ୍ରାଫିକ୍ସ ଡିଜାଇନରେ ନିଜ ନିଜର କମାଲ ଦେଖାଇବେ । ପ୍ରିଣ୍ଟିଂ ଟେକ୍ନୋଲୋଜି ପ୍ରତି ସ୍ବାଗତଙ୍କର ବିଶେଷ ଆଗ୍ରହ ରହିଛି । ସେଇ ଆଗ୍ରହ ତାଙ୍କୁ ବିଶ୍ବ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସୁଯୋଗ ଦେଇଛି । ସେହିଭଳି ଗ୍ରାଫିକ୍ସ ଡିଜାଇନରେ ଷ୍ଟିଭେନ ନିଜର ଦକ୍ଷତାକୁ ନେଇ ବେଶ ଆଶାବାଦୀ ।

ସ୍ବାଗତ ଦୁଇ ବର୍ଷ ଧରି ପୁନେରେ ନିଜର ଟ୍ରେନରଙ୍କ ଦିଗଦର୍ଶନରେ ପ୍ରିଣ୍ଟିଂ ଟେକ୍ନୋଲୋଜିର ପ୍ରଶିକ୍ଷଣ ନେଉଛି । ସ୍ବାଗତଙ୍କ ଆଗ୍ରହ ତାଙ୍କୁ ପଦକ ଜିତାଇବ ବୋଲି ବୋଲି ଆଶା ରଖିଛନ୍ତି ଟ୍ରେନର । ସେହିଭଳି ଷ୍ଟିଭେନଙ୍କ ପ୍ରଶିକ୍ଷକ ମଧ୍ୟ ତାଙ୍କ ଦକ୍ଷତାକୁ ନେଇ ବେଶ ଆଶା ରଖିଛନ୍ତି । ଏଭଳି ପ୍ରତିଯୋଗିତା ଯୁବ ପ୍ରତିଭାଙ୍କ କ୍ୟାରିୟର ପାଇଁ ସହାୟକ ହେବ ବୋଲି କହିଛନ୍ତି ପ୍ରତିଯୋଗିତାର ଚିଫ ଟ୍ରେନର ।

ତେବେ ଏହା ଭିତରେ ଭାରତର ପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସ୍ବିଜରଲାଣ୍ଡର ମୋନଟ୍ରେକ୍ସ ଠାରେ ଚାଲିଥିବା ହୋଟେଲ ରିସେପସନରେ ଭାରତର ଅନୁଶ୍ରୀ ଶ୍ରୀବାସ୍ତବ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ।