ବୁମରା ଏବଂ ସାମିଙ୍କୁ ନେଇ ଏମିତି କହିଲେ ଭାରତର ବୋଲିଂ କୋଚ୍

ଚେନ୍ନାଇ: ବିଶ୍ବକପରେ କମାଲ କରୁଛନ୍ତି ଭାରତୀୟ ବୋଲର । ରବିବାର ଇଂଲଣ୍ଡ ବିପକ୍ଷ ଏକ ହାଇଭୋଲଟେଜ ମ୍ୟାଚରେ ବୋଲରଙ୍କ ପ୍ରଦର୍ଶନ ଦର୍ଶନୀୟ ଥିଲା । ମହମ୍ମଦ ସାମି ୪ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ବୁମରା ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଯଦିଓ ପ୍ରଥମରୁ ଇଂଲଣ୍ଡ ଭଲ ବ୍ୟାଟିଂ ଆରମ୍ଭ କରିଥିଲା ତଥାପି ସେମାନେ ପରବର୍ତ୍ତୀ ସମୟରେ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ । ବୁମରା ଏବଂ ସାମିଙ୍କ ଘାତକ ବୋଲିଂ ଆଗରେ ଧରାଶୟୀ ହୋଇଥିଲେ । ତେବେ ବୁମରା ଏବଂ ସାମିଙ୍କ ବୋଲିଂକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ବୋଲିଂ କୋଚ୍ ପାରସ ମାମ୍ବ୍ରେ । ସେ କହିଛନ୍ତି କି, ସେମାନଙ୍କୁ କିଛି ପ୍ରଶିକ୍ଷଣ ଆବଶ୍ୟକ ହେଉନାହିଁ । ପିଚ୍ ହିସାବରେ ଉଭୟ ବେଶ ଭଲ ବୋଲିଂ କରନ୍ତି । ବ୍ୟାଟ୍ସମ୍ୟାନଙ୍କୁ ଭଲଭାବେ ବୁଝିବା ସହ ସେମାନଙ୍କୁ ଆଉଟ୍ କରିବା ବେଶ ଭଲଭାବେ ଜାଣନ୍ତି ।

ଚଳିତ ବିଶ୍ବକପରେ ପ୍ରଥମରୁ ସାମିଙ୍କୁ ଦଳରେ ସ୍ଥାନ ମିଳିନଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦଳକୁ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇଛନ୍ତି ସାମି । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଓ୍ବିକେଟ ଅକ୍ତିଆର କରିଥିବାବେଳେ ଇଂଲଣ୍ଡ ବିପକ୍ଷରେ ୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ବିଶ୍ବକପରେ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସାମି ତୃତୀୟ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପରେ ସେ ଶୀର୍ଷରେ ରହିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତର ଆଉ ୩ଟି ଲିଗ୍ ମ୍ୟାଚ୍ ବାକି ରହିଥିବାବେଳେ ସେମିରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନେଦରଲାଣ୍ଡକୁ ଭେଟିବ ଭାରତ । ସେପଟେ ବୁମରାଙ୍କ ବୋଲିଂ କଥା ଯଦି କହିବା ତାହେଲେ ସେ ମଧ୍ୟ ଉଚ୍ଚ କୋଟିର ବୋଲିଂ କରୁଛନ୍ତି । ସ୍ପିନରମାନେ ମଧ୍ୟ ଭଲ ବୋଲିଂ କରିବା ସହ ଦଳ ଏବେ ଦମଦାର ପ୍ରଦର୍ଶନ କରୁଛି । ଭାରତରେ ବିଶ୍ବକପ ଅନୁଷ୍ଠିତ ହେୁଥିବାରୁ ଘରୋଇ ଦଳ ଚାମ୍ପିୟନ ହେବ ବୋଲି କୁହାଯାଉଛି ।