ଆଉ ଶତ୍ରୁର ଡ୍ରୋନକୁ ଡର ନାହିଁ, ଭାରତୀୟ ସେନାରେ ସାମିଲ ହେବ ’ଇଗଲ ବାହିନୀ’

1 min read

ନୂଆଦିଲ୍ଲୀ: ଏବେ ଆଉ ଶତ୍ରୁର ଡ୍ରୋନକୁ ଡର ନାହିଁ । ଇଣ୍ଡିଆନ୍ ଆର୍ମିରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ‘ଇଗଲ ବାହିନୀ’ । ଏଥିପାଇଁ ଚାଲିଛି ଜୋରଦାର ପ୍ରୟାସ । ଶତାଧିକ ଚିଲଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଶତ୍ରୁ ପଟର କୌଣସି ଡ୍ରୋନ୍ ସୀମା ଟପୁଟପୁ ଆଖି ପିଛୁଳାକେ ଝାମ୍ପିନେବେ ଏହି ଚିଲ ସେନା ।

ଏଣିକି ଚୀନ କି ପାକିସ୍ତାନର ଗୁପ୍ତଚର ଡ୍ରୋନକୁ ମାରି ଖସାଇବାକୁ ଆଉ ଆଣ୍ଟି ଡ୍ରୋନ୍ ଗନର ଆବଶ୍ୟକତା ପଡ଼ିବନି । କାରଣ ଭାରତୀୟ ସେନାରେ ଆଉ ଏକ ଶକ୍ତି ସାମିଲ ହେବାକୁ ଯାଉଛି, ଚିଲ ଶକ୍ତି । ଏହି ସେନାରେ ଅଛନ୍ତି ଶହଶହ ପ୍ରଶିକ୍ଷିତ ଚିଲ, ଯିଏ ଶତ୍ରୁର ଡ୍ରୋନକୁ କ୍ଷଣକେ ଚୁରମାର କରିପକାଇବେ । ଏଥିପାଇଁ ଭାରତୀୟ ସେନା ଏମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଙ୍ଗ ଦେଉଛି । ଖୁବ୍ ଶୀଘ୍ର ଏହି ଦୁଇ ପଶୁ ଓ ପକ୍ଷୀ ସେନା ମିଳିତ ଭାବେ ଭାରତୀୟ ସେନାର ଆଣ୍ଟି ଡ୍ରୋନ୍ ମିଶନରେ ସାମିଲ ହେବେ ।

ଚିଲ ଓ ଡଗ୍ ଟିମର ଟ୍ରେନିଙ୍ଗ ଶେଷ ହେବା ପରେ ଏମାନଙ୍କୁ ଖୁବ ଶୀଘ୍ର ସୀମାରେ ମୁତୟନ କରାଯିବ । ଏହାସହ ଉତ୍ତରାଖଣ୍ଡର ଔଲିରେ ହେବାକୁ ଥିବା ଭାରତ-ଆମେରିକାର ମିଳିତ ସମରାଭ୍ୟାସରେ ଚିଲ ଓ ଡଗ୍ ଟିମକୁ ପ୍ରଦର୍ଶନ କରାଯିବ । ସ୍ଥଳରେ ଡଗ୍ ସ୍କ୍ୱାର୍ଡ ଓ ଆକାଶ ମାର୍ଗରେ ଫାଲକନ୍ ଟ୍ରୁପ୍ ଭାରତୀୟ ସେନାକୁ ସଶକ୍ତ କରିବ । ପ୍ରଶିକ୍ଷିତ ଚିଲଙ୍କୁ ସୀମାର ସେନା ପୋଷ୍ଟରେ ମୁତୟନ କରାଯିବ । ଯେଉଁଠାରୁ ଶତ୍ରୁର ଡ୍ରୋନକୁ ଦେଖୁ ଦେଖୁ ଆକ୍ରମଣ କରି ଖସାଇଦେବ ।

ତେବେ ଚିଲଙ୍କୁ ମୁତୟନ କରିବାର ଆଉ ଏକ ମୁଖ୍ୟ କାରଣ ରହିଛି । ଅନେକ ସମୟରେ ଶତ୍ରୁର ଡ୍ରୋନ୍ ଖୁବ୍ କମ୍ ଉଚ୍ଚତାରେ ଉଡିଥାନ୍ତି । ଏପରି ଡ୍ରୋନ ଦ୍ୱାରା କୌଣସି ସ୍ଥାନର ଗୁଇନ୍ଦାଗିରି କରିବା ସହ ହତିଆର ସପ୍ଲାଏ, ଡ୍ରଗ୍ସ ଓ ସ୍ମଗଲିଙ୍ଗ କରାଯାଉଛି । ହେଲେ ସ୍ୱଳ୍ପ ଉଚ୍ଚତାରେ ଉଡୁଥିବା ଏହି ଡ୍ରୋନ ଗୁଡ଼ିକ ରାଡାର ନିଜରରେ ପଡିନଥାଏ । ଏଥିପାଇଁ ଚିଲକୁ ହତିଆର କରି ଆଣ୍ଟି ଡ୍ରୋନ୍ ମିଶନ୍ ଆରମ୍ଭ କରିଛି ଭାରତୀୟ ସେନା ।