ଅଭିନୟ ପୂର୍ବରୁ ଦିନେ ଭାରତୀୟ ସେନାରେ ଥିଲେ ବିକ୍ରମଜୀତ କୁଅଁରପାଲ

ମମ୍ବାଇ: କରୋନା ଦିତ୍ୱୀୟ ପ୍ରବାହ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଧନୀ ହେଉ କିମ୍ବା ଗରିବ, ସାଧାରଣ ଲୋକ ହେଉ କିମ୍ବା ରାଜନେତା କାହାକୁ ବି ଛାଡୁନି ଏଇ ମହାମାରୀ । ପ୍ରତ୍ୟେକ ଦିନର ସକାଳ ଖରାପ ଖବର ନେଇ ଆସୁଛି, ଯାହା ପ୍ରତ୍ୟେକଙ୍କ ମନକୁ ଆଘାତ ପହଂଚାଉଛି । ଏହି କରୋନା ମହାମାରୀ କବଳରେ ବଲିଉଡର ଅନେକ କଳାକାର କବଳିତ ହୋଇଚାଲିଛନ୍ତି । ତାଙ୍କ ଭିତରୁ କିଏ କରୋନା ସହ ଲଢି ଜିତାପଟ ହାସଲ କରୁଛି ତ ପୁଣି କିଏ ଜୀବନ ଯୁଦ୍ଧରେ ହାର ମାନିଯାଉଛି। ଆଉ ଏହି ଯୁଦ୍ଧରେ ଆଜି ଆଉ ଜଣେ ବଲିଉଡ କଳାକାର ମଧ୍ୟ ହାର ମାନିଯାଇଛନ୍ତି।

ଯିଏକି ନିଜ ନିଖୁଣ ଅଭିନୟରେ ପ୍ରତ୍ୟେକ ଫିଲ୍ମରେ ମନୋରଞ୍ଜନର ଏକ ଭିନ୍ନସ୍ୱାଦ ଦର୍ଶକଙ୍କୁ ଯୋଗାଇ ଦେଇଥାନ୍ତି। ସେ ହେଉଛନ୍ତି ବିକ୍ରମଜୀତ କୁଅଁରପାଲ। ବିକ୍ରମଜୀତଙ୍କୁ ପରଦାରେ ଆପଣମାନେ ଅନେକ ଚରିତ୍ରରେ ଦେଖିଥିବେ କିନ୍ତୁ ତାଙ୍କ ପ୍ରକୃତ ଜୀବନରେ ବି ସେ ଭିନ୍ନ ଚରିତ୍ର ପ୍ଲେ କରିଛନ୍ତି। ଆଜ୍ଞା ହଁ ବିକ୍ରମଜୀତ ଅଭିନୟର ଏହି ରଙ୍ଗାରଙ୍ଗ ଦୁନିଆରେ ପାଦ ଥାପିବା ପୂର୍ବରୁ ସେନାରେ ନିଜର ଯୋଗଦାନ ଦେଇଥିଲେ।

 

ହିମାଚଳ ପ୍ରଦେଶର ସୋଲେନରେ ଜନ୍ମ ହୋଇଥିବା ବିକ୍ରମଜୀତ ପିଲାଦିନୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ସ୍ୱପ୍ନ ଦେଖୁଥିଲେ। ଆଉ ତାଙ୍କୁ ସେ ଉତ୍ସାହ ତାଙ୍କ ବାପା ଦ୍ୱାରକାନାଥ କୁଅଁରପାଲଙ୍କ ଯୋଗୁଁ ହିଁ ମିଳିଥିଲା । କାହିଁକି ନା ବିକ୍ରମଜୀତଙ୍କ ପିତା ଜଣେ ଆର୍ମୀ ଅଫିସର ଥିଲେ ଓ ୧୯୬୩ ମସିହାର ଯୁଦ୍ଦରେ ତାଙ୍କ ବାହାଦୁରୀ ପାଇଁ ତାଙ୍କୁ କିର୍ତ୍ତୀ ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେଥିପାଇଁ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକ୍ରମଜୀତ ୧୯୮୯ରେ ଭାରତୀୟ ସେନାରେ ଯୋଗଦେଲେ । ଆଉ ଅନେକ ଦିନ ସେନାରେ କାର୍ଯ୍ୟରତ ରହିବା ପରେ ୨୦୦୨ରେ ମେଜର ହୋଇ ଆର୍ମିରୁ ଅବସର ନେଲେ ।

ସାଧାରଣତଃ ଅବସର ପରେ ଆର୍ମୀ ଅଫିସରମାନେ ବହୁତ କଠୋର ଓ ସମୟାନୁବର୍ତ୍ତୀ ହୋଇ ସାଧାରଣ ଜୀବନକୁ ଅତିବାହିତ କରନ୍ତି । କିନ୍ତୁ ବିକ୍ରମଜୀତଙ୍କ କ୍ଷେତ୍ରରେ ଏହିଭଳି ହୋଇନଥିଲା । ସେ ଅବସର ନେବାପରେ ନିଜ ଜୀବନକୁ ଆହୁରୀ ସ୍ମରଣୀୟ କରିବା ପାଇଁ ୨୦୦୩ରେ ବଲିଉଡରେ ପ୍ରଥମଥର ପାଇଁ ନିଜର ଡେବ୍ୟୁ କଲେ। ଆଉ ଏହିଠାରୁ ହିଁ ଆରମ୍ଭ ହେଲା ତାଙ୍କ ଜୀବନର ନୂଆ ଅଧ୍ୟାୟ। ତେବେ ଅଧିକାଂଶ ଚଳଚିତ୍ରରେ ସେ ସପୋର୍ଟିଂ ଆକ୍ଟର ଭାବରେ କାମ କରିଛନ୍ତି । ହେଲେ ତାହା ନେଗେଟିଭ ହେଉ କିମ୍ବା ପଜିଟିଭ ସବୁ ଚରିତ୍ର ତାଙ୍କ ପାଇଁ ଖୁବ୍ ଖାସ୍ ଥିଲା । ତେଣୁକରି ତାଙ୍କ ଅଭିନୟ ମାଧ୍ୟମରେ ସେ ସେହି ଚରିତ୍ରକୁ ଅଧିକ ଜୀବନ୍ତ କରିଦିଅନ୍ତି ।

୧୮ବର୍ଷର ଏହି ବଲିଉଡ ଯାତ୍ରାରେ ସେ କେବେ ବି ନିଜ ଦର୍ଶକଙ୍କୁ ନିରାଶ କରିନାହାନ୍ତି । ଫିଲ୍ମ ଓ ଟିଭି ଶୋରେ ତାଙ୍କର ଉପସ୍ଥିତି ପାଇ ଦର୍ଶକେ ଖୁବ୍ ଉତ୍ସାହିତ ହୁଅନ୍ତି । ହେଲେ ଆଉ ପରଦାରେ ଦେଖିବାକୁ ମିଳିବନି ତାଙ୍କ ଅଭିନୟ। କରୋନାରେ ପିଡିତ ଥିବାରୁ ମେ ୧ ତାରିଖ ଦିନ ୫୨ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Leave a Reply