୮ ଇଞ୍ଚ ଦୂରରେ ରାହୁଲ, ରେସ୍କ୍ୟୁ ଅପରେସନରେ ସେନା ସାମିଲ

ଚମ୍ପା: ଆଉ କିଛି ସମୟର ଅପେକ୍ଷା । ୮୦ ଫୁଟ ଗଭୀର ବୋରଓ୍ବେଲରୁ ନୂଆ ଜୀବନ ନେଇ ଫେରିବ ରାହୁଲ । ମାତ୍ର ୮ ଇଞ୍ଚର ବ୍ୟବଧାନ । ଏହି ବ୍ୟବଧାନ ହଟିବା ମାତ୍ରେ ରାହୁଲ ପୁଣି ଥରେ ଦେଖିବ ତା’ ଦୁନିଆ । ଏପଟେ ରେସ୍କ୍ୟୁ ଅପରେସନରେ ଭାରତୀୟ ସେନା ସାମିଲ ହୋଇଛି ।

ଗତ ଶୁକ୍ରବାରରୁ ଛତିଶଗଡର ରାହୁଲ ସାହୁ ଖେଳୁଥିବା ସମୟରେ ୮୦ ଫୁଟ ଗଭୀର ବୋରୱେଲରେ  ପଡିଯାଇଥିଲା । ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାରରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ସେମାନଙ୍କୁ ସାହାଯ୍ୟ କରିବାକୁ ଛତିଶଗଡ଼ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳଙ୍କଠାରୁ ବିଭିନ୍ନ ବିଭାଗର ପଦାଧିକାରୀ ସେଠାରେ ଉପସ୍ଥିତ ଅଛନ୍ତି ।

ରାହୁଲକୁ ଉଦ୍ଧାର କରିବା ପାଇଁ ପ୍ରାୟ ୬୫ ଫୁଟର ଟନେଲ ଖୋଳାଯିବା ପରେ ଏକ ବିରାଟ ପଥର ପଡିଥିଲା । ଯାହାକୁ କାଟି ରାହୁଲ ପାଖକୁ ଯିବା କଷ୍ଟକର ହୋଇଥିଲା । ପଥର ସେପଟେ ରାହୁଲ ଥିବାରୁ ଏହାକୁ ବିସ୍ଫୋରଣରେ ମଧ୍ୟ ଉଡାଇବା ସମ୍ଭବ ନଥିଲା । ଏମିତି ସ୍ଥିତିରେ ଉଦ୍ଧାରକାରୀ ଦଳ ପଥରକୁ ଗ୍ୟାସ କଟର ଓ ସେଣି, ହାତୁଡିରେ କାଟି ଆଗକୁ ବଢିଥିଲେ । ରାହୁଲଠାରୁ ୪ରୁ ୫ ଫୁଟ୍ ଦୂରରୁ ମେସିନରେ ସୁଡ଼ଙ୍ଗ କରିବା ବନ୍ଦ କରାଯାଇ ହାତରେ ଖୋଳା ଯାଉଛି ।