ସୁଖୋଇ ଲଢ଼ୁଆ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ

1 min read

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷାକୁ ମିଳିଛି ଆଉ ଏକ ବଡ଼ ସଫଳତା । ସୁଖୋଇ ଲଢ଼ୁଆ ବିମାନରୁ ଭାରତୀୟ ବାୟୁସେନା କରିଛି ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ । ଭାରତୀୟ ନୌସେନା ଓ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି ପରୀକ୍ଷଣ କରାଯାଇଛି । ଭାରତୀୟ ବାୟୁସେନାର ସୁଖେଇ ୩୦ MKI ବିମାନରୁ ବ୍ରହ୍ମୋସ ମିସାଇଲକୁ ନିକ୍ଷେପ କରାଯାଇଥିଲା । ଏହି ବ୍ରହ୍ମୋସ ମିସାଇଲ ଟାର୍ଗେଟରେ ଥିବା ନୌସେନାର ଏକ ପରିତ୍ୟକ୍ତ ଜାହାଜକୁ ଧ୍ବଂସ କରିଥିଲା ।

ଗତ ୨୦୧୬ ମସିହାରେ ୪୦ଟି ସୁଖୋଇ ବିମାନରେ ବ୍ରହ୍ମୋସ ଭାରିଆଣ୍ଟର ଏୟାର-ଲଞ୍ଚ ବ୍ୟବସ୍ଥା କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ । ଏହି ପରୀକ୍ଷଣ ଦ୍ବାରା ଭାରତୀୟ ବାୟୁସେନା ପ୍ରତିରକ୍ଷା କାରିଗରୀରେ ଆଉ ଏକ ପାଦ ଆଗକୁ ବଢ଼ାଇଛି । ବ୍ରହ୍ମୋସ ମିସାଇଲକୁ ବୁଡ଼ାଜାହାଜ, ଜାହାଜ, ବିମାନ ବା ଭୂସ୍ଥଳରୁ ପ୍ରୟୋଗ କରାଯାଇପାରିବ । ଶବ୍ଦଠାରୁ ୩ ଗୁଣ ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ସର୍ବାଧିକ ୩୫୦ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରିପାରିବ । ଗତ ମାର୍ଚ୍ଚ ୫ରେ ଭାରତୀୟ ନୌସେନା ଏକ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ ଭାରତ ମହାସାଗରରେ କରିଥିଲା ।