spot_img

Latest Posts

ଆଫଗାନ୍ ବିମାନବନ୍ଦରରେ ବାୟୁସେନା ବିମାନ: ରାଷ୍ଟ୍ରଦୂତଙ୍କ ସମେତ ୧୨୦ ଭାରତୀୟ ଉଦ୍ଧାର

କାବୁଲ୍: ତାଲିବାନ କବଳିତ ଆଫଗାନିସ୍ତାନରୁ ଭାରତୀୟ କୂଟନୀତିକ ଅଧିକାରୀଙ୍କୁ ଉଦ୍ଧାର କରିଛି ଭାରତ। ଆମେରିକା ସେନା ବାହିନୀଙ୍କ ସହାୟତାରେ ଭାରତୀୟ ବାୟୁସେନାର ଏକ ବିମାନ ଦ୍ୱାରା ଆଫଗାନିସ୍ତାନରେ ନିୟୋଜିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ୧୨୦ଜଣ ଅନ୍ୟ ଅଧିକାରୀଙ୍କୁ ଉଦ୍ଧାର କରାଯାଇଛି। କାବୁଲ୍ ସମୟ ଅନୁସାରେ ମଙ୍ଗଳବାର ସକାଳ ୮ଟାରେ ଏହି ବିମାନ ହମିଦ କର୍ଜାଇ ବିମାନ ବନ୍ଦରରୁ ସମସ୍ତ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହା ଅପରାହ୍ଣ ଗୋଟାଏ ବେଳେ ନୂଆଦିଲ୍ଲୀରେ ପହଞ୍ଚିବ।

ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ୍‌ଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ନିରାପଦ ଭାବେ ଭାରତ ଆଣିବାକୁ ଭାରତ ପ୍ରୟାସ କରିଥିଲା। ପ୍ରଥମେ ତୁର୍କୀ ସହାୟତାରେ ଏହି ଅଧିକାରୀଙ୍କୁ ଉଦ୍ଧାର କରାଯିବା ଲାଗି ଚେଷ୍ଟା ହୋଇଥିଲା। ଉଦ୍ଧାର ଚୁକ୍ତି ଅନୁସାରେ ତୁର୍କୀ ପକ୍ଷରୁ ବିମାନ ବନ୍ଦରରେ ଆବଶ୍ୟକ ସୈନ୍ୟ ମୁତ୍ତୟନ କରାଯିବାକୁ ଥିଲା। ହେଲେ ଶେଷ ମୁହୂର୍ତ୍ତ ବେଳକୁ ତୁର୍କୀ ଆବଶ୍ୟକ ନିଷ୍ପତ୍ତି ନେଇ ପାରି ନଥିବାରୁ ଦ୍ୱନ୍ଦ୍ୱ ବଢ଼ିଥିଲା। ପରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକୀୟ ବୈଦେଶିକ ସଚିବ ବ୍ଲିଙ୍କେନ୍‌ଙ୍କ ସହ ଆଲୋଚନା କରି ଯୁକ୍ତରାଷ୍ଟ୍ର ସହାୟତା କାମନା କରିଥିଲେ।

ପରେ ଆମେରିକା କେବଳ ସାମରିକ ବିମାନ ଅବତରଣ ଓ ପରିଚାଳନା ପାଇଁ ରାଜି ହୋଇଥିଲା। ଏହାଦ୍ୱାରା ଭାରତୀୟ ବାୟୁସେନାର ଏକ ବିମାନ ବିମାନ ଉଡ଼ାଣ ସମ୍ଭବ ହୋଇପାରିଥିଲା। ବେସାମରିକ ବିମାନକୁ ଅନୁମତି ନଥିବାରୁ ସେଠାରେ ଥିବା ଅନ୍ୟ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ସମ୍ଭବ ହୋଇପାରି ନାହିଁ।

କାବୁଲ୍ ଅଧିକାର ପରେ ଭିନ୍ନ ଚେକ୍‌ପୋଷ୍ଟକୁ ତାଲିବାନ ମାନେ ଅଧିକାର କରି ନେଇଛନ୍ତି। ଏଣୁ ଭାରତୀୟ ମିଶନରେ ଥିବା ଅଧିକାରୀମାନଙ୍କୁ ବିମାନ ବନ୍ଦରକୁ ଆଣିବା ଭାରତ ସରକାରଙ୍କ ପାଇଁ ଏକ ଆହ୍ୱାନ ଥିଲା। ହେଲେ ଭାରତୀୟ ଅଧିକାରୀମାନେ ଏହାକୁ ବିଶେଷ ଧ୍ୟାନ ଦେଇ କାବୁଲ୍ ବିମାନ ବନ୍ଦରରେ ଅଧିକାରୀମାନଙ୍କୁ ପହଞ୍ଚାଇ ପରିଥିଲେ। ଉପସ୍ଥିତ ତାଲିବାନୀମାନଙ୍କର ବିମାନ ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକ ଜ୍ଞାନର ଅଭାବ ହେତୁ ବିମାନବନ୍ଦରରେ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି ହୋଇଛି।

ଅପରପକ୍ଷେ ଆଫଗାନିସ୍ତାନ ନାଗରିକମାନେ ଦେଶ ଛାଡ଼ି ଚାଲିଯିବା ପାଇଁ ବିମାନ ବନ୍ଦରରେ ଗହଳି କରିଥିବାରୁ ଆମେରିକୀୟ ସୈନ୍ୟବାହିନୀଙ୍କୁ ଗୁଳିଚାଳନା କରିବାକୁ ପଡ଼ିଥିଲା। ପୁଣି ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ବଦଳୁଥିବାରୁ ଭାରତୀୟ ଅଧିକାରୀଙ୍କୁ ନିରାପଦ ଭାବେ ଭାରତ ଫେରାଇ ଆଣିବା କଷ୍ଟକର ହୋଇପଡ଼ିଥିଲା।

୧୨୦ ଜଣ କୂଟନୀତିକ ଅଧିକାରୀ ଉଦ୍ଧାର ହୋଇଥିଲେ ମଧ୍ୟ ସେଠାରେ ଏବେ ଅନେକ ଭାରତୀୟ ଫଶିଛନ୍ତି। ହମିଦ କରଜାଇ ଆନ୍ତର୍ଜାତୀୟ ବିମାନବନ୍ଦର ସାଧାରଣ ବିମାନଚଳାଚଳ ପାଇଁ ଉନ୍ମୁକ୍ତ ହେବା ପରେ ଯାଇ ଅନ୍ୟ ଭାରତୀୟଙ୍କୁ ଉଦ୍ଧାର କରାଯାଇପାରିବ।

Latest Posts

Don't Miss