ସେଦିନ ରାତି ୯ଟାରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥାନ୍ତା !

1 min read

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୯ରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମୁକ୍ତିକୁ ନେଇ ଭାରତ କେଉଁଭଳି ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଥିଲା ସେନେଇ ପାକିସ୍ତାନ ମୁସଲିମ ଲିଗ୍-ଏନର ସାଂସଦ ଅୟାଜ ସାଦିକ ବଡ କଥା କହିଛନ୍ତି । ପାକିସ୍ତାନ ସଂସଦରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ଅୟାଜ ବୁଧବାର ଦିନ କହିଥିଲେ ଯେ, ପାକିସ୍ତାନ ସରକାର ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ଭୟଭୀତ ଥିଲେ । ଅଭିନନ୍ଦନଙ୍କୁ ମୁକ୍ତ ନକଲେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ମୋର ସେହି ମିଟିଂ କଥା ମନେ ଅଛି ଯେଉଁଥିରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମନା କରିଦେଇଥିଲେ । ସେହି ମିିଟିଂରେ ବୈଦେଶିକ ମନ୍ତ୍ରୀ ମହମୁଦ କୁରୈସୀଙ୍କ ସହ ପାକ୍ ସେନା ମୁଖ୍ୟ ଜେନରାଲ କମର ଜାବେଦ ବାଜବା ମଧ୍ୟ ସାମିଲ ଥିଲେ । ଅୟାଜଙ୍କ ଅନୁସାରେ ବୈଠକରେ ନିଜ କଥା ରଖିବା ବେଳେ କୁରୈସୀଙ୍କ ପାଦ ଥରୁଥିଲା । କୁରୈସୀ ଡରି ଡରି କହିଥିଲେ ଯେ, ‘ଆଲ୍ଲାଙ୍କ ପାଇଁ ତାକୁ(ଅଭିନନ୍ଦନ)କୁ ଛାଡି ଦିଆଯାଉ । କାରଣ ତାକୁ ନଛାଡିଲେ ରାତି ୯ଟା ସୁଧା ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଦେବ’ ।

ଅୟାଜଙ୍କ ଅନୁସାରେ ଏହା କହିବା ବେଳେ କୁରୈସୀ ଥରୁଥିଲେ ଓ ତାଙ୍କ ଦେହରୁ ଝାଳ ବୋହୁଥିଲା । ଅବଶ୍ୟ ପରେ ଅୟାଜ ନିଜ କଥା ସହ ଏହା ମଧ୍ୟ ଯୋଡିଛନ୍ତି ଯେ, ଭାରତ କେବେ ମଧ୍ୟ ଆକ୍ରମଣ କରିନଥାନ୍ତା କିନ୍ତୁ ଆମ ସରକାର ଆଣ୍ଠୁ ଭାଙ୍ଗି ଆତ୍ମସମର୍ପଣ କରିବାକୁ ମନସ୍ଥ କରି ସାରିଥିଲେ । ତେଣୁ ସେମାନ ଅଭିନନ୍ଦନଙ୍କୁ ଛାଡି ଦେଲେ ।

ଅୟାଜଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭିଡିଓକୁ ଟ୍ୱିଟ୍ କରି ରାହୁଲ ଗାନ୍ଧୀଙ୍କୁ ନିଶାନାକୁ ନେଇଛନ୍ତି । ସେ ଲେଖିଛନ୍ତି ଯେ, କଂଗ୍ରେସର ରାଜକୁମାରଙ୍କୁ ଭାରତର କୌଣସି ବି ଜିନିଷ ଉପରେ ବିଶ୍ୱାସ ନାହିଁ ସେ ସୁନା ହେଉ କି ସରକାର କଂଗ୍ରେସର କାହା ଉପରେ ବି ବିଶ୍ୱାସ ନାହିଁ । ତେଣୁ ସେମାନେ ଏବେ ନିଜର ‘ସବୁଠାରୁ ବିଶ୍ୱସ୍ଥ ଦେଶ’ ପାକିସ୍ତାନଠାରୁ ହିଁ ଶୁଣନ୍ତୁ । ଆଶା କରାଯାଏ ଯେ, ସେମାନେ ଏବେ ତାଙ୍କ ଆଖି ଖୋଲିବେ..’ ଏହାସହ ନାଡ୍ଡା କଂଗ୍ରେସ ଉପରେ ସୀମାର ରକ୍ଷା କରୁଥିବା ସେନାକୁ ଦୁର୍ବଳ କରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ।

ସେ ଲେଖିଛନ୍ତି, ‘କଂଗ୍ରେସ ନିଜର ସଶସ୍ତ୍ର ବାହିନୀକୁ ଦୁର୍ବଳ କରିବାରେ ଲାଗିଛି । କେବେ ସେମାନଙ୍କୁ ଉପହାସ କରିଛି ତ କେତେବେଳେ ସେମାନଙ୍କ ସାହାସିକତା ଉପରେ ସନ୍ଦେହ କରିଛି । ଯେମିତିକି ସେନାଙ୍କୁ ଅତ୍ୟାଧୁନିକ ରାଫେଲ ମିଳି ପାରିବ ନାହିଁ ସେଥିପାଇଁ ସମସ୍ତ ପ୍ରକାର ଚାଲାକି କରିଛନ୍ତି ସେମାନେ । କିନ୍ତୁ ଦେଶବାସୀ ଏଭଳି ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ କଠୋର ଶିକ୍ଷା ଦେଇଛନ୍ତି।

 

Leave a Reply