ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଟେବୁଲ ଟେନିସରେ ସ୍ୱର୍ଣ୍ଣ, ଭାରତ୍ତୋଳନରେ ରୌପ୍ୟ ପଦକ

1 min read

ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଜି ସ୍ବର୍ଣ୍ଣିମ ଦିନ । ପ୍ରଥମେ ଲନ ବଲ୍ସରେ ମହିଳା ଦଳ ସ୍ୱର୍ଣ୍ଣ ଜିତିବା ପରେ ଏବେ ପୁରୁଷ ଟେବୁଲ ଟେନିସ ଟିମ୍‌ ସିଙ୍ଗାପୁରକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି । ସିଙ୍ଗାପୁରକୁ ୩-୧ରେ ପରାଜିତ କରି ଏହି ପଦକ ଜିତିଛି ଭାରତ । ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୫ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଭାରତ୍ତୋଳକ ବିକାଶ ଠାକୁର ରୌପ୍ୟ ପଦକ ଜିତିଛନ୍ତି । ୯୬ କେଜି ବର୍ଗରେ ସେ ଏହି ସଫଳତା ହାସଲ କରିଛନ୍ତି । ସ୍ନାଚରେ ୧୫୫ କେଜି ଏବଂ କ୍ଲିନ ଓ  ଜର୍କରେ ୧୯୧ କେଜି ଓଜନ ଉଠାଇ ଦ୍ୱିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ଜିତିଛନ୍ତି । ଏଥିସହ ଭାରତର ମୋଟ ମେଡାଲ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

ଭାରତର ମୋଟ ମେଡାଲ ସଂଖ୍ୟା ଏବେ ୧୨କୁ ବୃଦ୍ଧି ପାଇଛି । ଏଥିରେ ୫ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ସାମିଲ ରହିଛି । ଭାରତକୁ ଭାରତ୍ତୋଳନରେ ୮ଟି ପଦକ ମିଳିଥିବା ବେଳେ ଜୁଡୋରେ ଦୁଇଟି ପଦକ ଏବଂ ଟେବୁଲ ଟେନିସ ଓ ଲନ ବଲ୍ସରେ ଗୋଟିଏ ଲେଖାଏଁ ପଦକ ମିଳିଛି । ଭାରତ ଏବେ ପଦକ ଟାଲିର ଷଷ୍ଠ ସ୍ଥାନରେ ରହିଛି ।