ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ: ଭାରତର ଦମଦାର ବିଜୟ, ୨-୧ରେ ସିରିଜ ଜିତିଲା

1 min read

ମଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଋଷଭଙ୍କ ଅପରାଜିତ ଶତକୀୟ ଇନିଂସ ଏବଂ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପରଫର୍ମାନ୍ସ ଭାରତକୁ ବୃହତ ବିଜୟ ଦେଇଛି । ଏଥିସହ ଭାରତ ୨-୧ରେ ସିରିଜ ଜିତିଯାଇଛି । ୮ବର୍ଷ ପରେ ଇଂଲଣ୍ଡରେ ଭାରତ ଦିନିକିଆ ସିରିଜ ଜିତିବାର ସଫଳତା ଅର୍ଜନ କରିଛି । ୫ୱିକେଟରେ ଭାରତ ଇଂଲଣ୍ଡକୁ ହରାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ କରାଯାଇଥିବା ବେଳେ ଋଷଭ ପନ୍ତଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି ।

ଆଜିର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ଯାଟିଂ କରି ୪୫.୫ ଓଭରରେ ଇଂଲଣ୍ଡ ନିଜର ସମସ୍ତ ୱିକେଟ୍ ହରାଇ ୨୫୯ ରନ୍ ସଂଗ୍ରହ କରିଥିଲା । ବଟଲର ସର୍ବାଧିକ ୬୦ ରନ୍ ସଂଗ୍ରହ କରିଥିଲେ । ଜେସନ ରୟ ୪୧ ଏବଂ ମୋଇନ ଅଲୀ ୩୪ ରନ୍ କରିଥିଲେ  । ଭାରତୀୟ ବୋଲଙ୍କ ଆଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ତିଷ୍ଟି ପାରିନଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଯୁଜବେନ୍ଦ୍ର ଚହଲ ୩ଟି ଏବଂ ମହମ୍ମଦ ସିରାଜ ୨ଟି ୱିକେଟ୍ ହାସଲ କରିଥିଲେ ।

୨୬୦ ରନର ଟାର୍ଗେଟ ଭାରତକୁ ମିଳିଥିଲା । ୫ୱିକେଟ ହରାଇ ଏହି ଟାର୍ଗେଟ ଭାରତ ୪୨.୧ ଓଭରରେ  ହାସଲ କରିନେଇଛି । ଗତ ମ୍ୟାଚ ଭଳି ଚଳିତ ମ୍ୟାଚରେ ଭାରତୀୟ ଦଳର ଟପ ଅର୍ଡର ଫ୍ଲପ ରହିଥିଲା । ସର୍ବ ପ୍ରଥମେ ଶିଖର ଧୱନ ମାତ୍ର ୧ ରନ୍ କରି ପାଭେଲିଅନ ଫେରିଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ୧୭ ରନ୍ କରିଆଉଟ୍ ହୋଇଯାଇଥିଲେ । ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ଭରସା ଏବଂ ବିଶ୍ୱାସ ଥିଲା  । ହେଲେ ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବିରାଟ ଭଲ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ୨୨ ବଲ ଖେଳି ମାତ୍ର ୧୭ ରନ୍ କରି ଆଉଟ ହୋଇଯାଇଥିଲେ  । କୋହଲିଙ୍କ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୬ରନ୍ କରି ଆଉଟ୍ ହୋଇଥିଲେ ।

୭୨ ରନରେ ଭାରତ ତାର ୪ଟି ୱିକେଟ୍ ହରାଇଥିଲେ । ଏହା ପରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳୀୟ ସ୍ଥିତିକୁ ସମ୍ଭାଳି ଥିଲେ । ଏକ ଭଲ ପାର୍ଟନରସିପ୍ କରିବାରେ ସଫଳ ହୋଇଥିଲେ । ଉଭୟ ୧୩୩ ରନର ପାର୍ଟନରସିପ୍ କରିଥିଲେ । ଭାରତର ବିଜୟ ଆଶାକୁ ଉଜ୍ଜୀବିତ ରଖିଥିଲେ । ହାର୍ଦ୍ଦିକ ୫୫ ବଲରେ ୭୧ ରନ୍ କରି ଆଉଟ ହୋଇଯାଇଥିଲେ । ଋଷଭ କିନ୍ତୁ ବିଜୟ ପର୍ଯନ୍ତ କ୍ରୀଜରେ ରହିଥିଲେ । ୧୧୩ ବଲ୍ ଖେଳି ୧୨୫ ରନ୍ ସଂଗ୍ରହ କରି ଦଳକୁ ବିଜୟ ଦେଇଛନ୍ତି । ଶେଷ ବେଳକୁ ତାଙ୍କ ସହ ରବୀନ୍ଦ୍ର ଜାଡେଜା(୭ରନ୍) କ୍ରୀଜରେ ରହିଥିଲେ । ଇଂଲଣ୍ଡ ପକ୍ଷରୁ ରିସୀ ଟପ୍ଲେ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।