ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ କ୍ଲିନ୍ ସୁଇପ୍ କଲେ ବିରାଟ ସେନା

1 min read

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟକୁ ମଧ୍ୟ ବୃହତ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ । ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ଆଗରେ ଧରାଶାୟୀ ହେଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ୩ ଟେଷ୍ଟ ବିଶିଷ୍ଟ ସିରିଜ୍‌କୁ କ୍ଲିନ୍‌ ସୁଇପ କରିବା ସହ ଟେଷ୍ଟ ରାଙ୍କିଙ୍ଗରେ ୧ ନଂ ସ୍ଥାନ ବଜାୟ ରଖିଛି । ସେପଟେ ସିରିଜ୍‌ ସାରା ଦେଖିବାକୁ ମିଳିଥିଲା ରୋହିତଙ୍କ ଚମକ । ପ୍ରଥମ ଟେଷ୍ଟରେ ୨ଟି ଶତକ ସହ ତୃତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରି ଏକାଧିକ ବିଶ୍ୱ ରେକର୍ଡ କରିଛନ୍ତି ରୋହିତ ।

ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ୩ ମ୍ୟାଚ୍ ବିଶିଷ୍ଟ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜକୁ ପୋଛି ନେଇଛି ଭାରତ । ରାଞ୍ଚି ଟେଷ୍ଟକୁ ଗୋଟିଏ ଇନିଂସ ଓ ୨୦୦ ରନରେ ଜିତି ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କବଜା କରିଛି ।

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୪୯୭ ରନ୍ କରି ପାଳି ଘୋଷଣା କରିଥିଲା । ଭ୍ରମଣକାରୀ ଦଳ ସମସ୍ତ ୱିକେଟ ହରାଇ କେବଳ ୧୬୨ ରନ୍ କରିଥିଲା । ଭାରତ ୩୩୫ ରନରେ ଆଗୁଆ ରହିଥିଲା । ଦ୍ୱିତୀୟ ପାଳିରେ ଦକ୍ଷିଣ ଆଫ୍ରିକା ୧୩୩ ରନରେ ଅଲଆଉଟ ହୋଇଥିଲା ।ଏହାପରେ ଭାରତ ୨୦୦ ରନର ବଡ଼ ବିଜୟ ହାସଲ କରିଥିଲା । ଦ୍ବିତୀୟ ଟେଷ୍ଟରେ ମଧ୍ୟ ଭାରତ ପୁଣେରେ ଦମଦାର ବିଜୟ ହାସଲ କରିଥିଲା । ଦୀର୍ଘଦିନ ପରେ ଟେଷ୍ଟ କ୍ରିକେଟରେ ଭାରତର ସୁନ୍ଦର ପ୍ରଦର୍ଶନ ଦେଖିବାକୁ ମିଳିଛି ।

ବିରାଟ କୋହଲିଙ୍କ ନେତୃତ୍ବରେ ଟିମ୍ ସୁନ୍ଦର ପ୍ରଦର୍ଶନ କରି ପୁଣିଥରେ ବିଶ୍ୱକ୍ରିକେଟରେ ନିଜର ଦବଦବା ଜାରି ରଖିଛି । ପୁରା ଇନିଂସରେ ଦମଦାର ପ୍ରଦର୍ଶନ କରିଥିଲେ ରୋହିତ ଶର୍ମା । ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରି ବିଶ୍ୱ କୀର୍ତ୍ତିମାନ ଅର୍ଜନ କରିଥିଲେ । ସେହିପରି ତୃତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରି ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିବା ସହ ଟେଷ୍ଟ ରେକର୍ଡରେ ସଚିନ, ସେହୱାଗ ଓ ଦ୍ରାବିଡଙ୍କ ସମକକ୍ଷ ହୋଇଥିଲେ । ପ୍ରଥମ ଟେଷ୍ଟରେ ରୋହିତ ୧୭୬ ଓ ଦ୍ୱିତୀୟ ଇନିଂସରେ ୧୨୭ ରନ୍‌ର ଦମଦାର ଇନିଂସ ଖେଳିଥିଲେ । ତୃତୀୟ ଟେଷ୍ଟରେ ୨୧୨ ରନ୍‌ର ପାଳି ଖେଳି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ । ସିରିଜରେ ନବାଗତ ମୟଙ୍କ ଅଗ୍ରୱାଲଙ୍କ ଭୂମିକା ମଧ୍ୟ କମ୍‌ ନଥିଲା । ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିଲେ ମୟଙ୍କ । ସିରିଜ୍‌ ବିଜୟ ସହ ICC ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଲା ଟିମ୍‌ ଇଣ୍ଡିଆ ।

 

 

  ')}

Leave a Reply