ଇଂଲଣ୍ଡ-ଭାରତ ଦ୍ୱିତୀୟ ଟି-୨୦: ୪୯ ରନରେ ଜିତିଲା ଭାରତ

1 min read

ବର୍ମିଂହାମ: ଏଜବାଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୨ୟ ଟି-୨୦ ମ୍ୟାଚକୁ ଭାରତ ଜିତିନେଇଛି  । ୪୯ ରନରେ ଘରୋଇ ଇଂଲଣ୍ଡଠାରୁ ବିଜୟୀ ହୋଇଛି  । ଏହି ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ବିଜୟୀ ହୋଇଛି । ଆଜି ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା  । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଋଷଭ ପନ୍ତ ଓପନିଂ କରିଥିଲେ । ୩୧ ରନ୍ କରି ରୋହିତ କ୍ୟାଚ ଆଉଟ ହୋଇଯାଇଥିଲା । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବିରାଟ କୋହଲି ଆସିଥିଲେ ହେଲେ ପୂର୍ବ ଭଳି ଆଜି ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ। ତିନୋଟି ବଲ୍ ଖେଳି ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଗଳିବାରେ ଲାଗିଥିଲା ।

ହେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶେଷ ପର୍ଯନ୍ତ ରହି ଦଳକୁ ୧୭୦ ରନ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟତା ହୋଇଥିଲେ । ୨୯ଟି ବଲ୍ ଖେଳି ସେ ୪୬ ରନ୍ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରୀଷ ଜୋର୍ଡାନ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ୧୭୧ ରନର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ପକ୍ଷରୁ ଜେସନ ରୟ ଏବଂ ଜୋସ ବଟଲର କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଭାରତୀୟ ଦଳର ଘାତକ ବୋଲର ଭୁବନେଶ୍ୱର କୁମାର ଦୁଇ ଜଣଙ୍କୁ ନିଜର ପ୍ରଥମ ଏବଂ ଦ୍ୱିତୀୟ ଓଭରରେ ଆଉଟ୍ କରି ଦେଇଥିଲେ । ଏହାପରେ ଇଂଲଣ୍ଡ ଦଳ ବିପର୍ଯ୍ୟୟର ସାମ୍ନା କରିଥିଲା ।

ଗୋଟିଏ ପରେ ଗୋଟିଏ ୱିକେଟ ଗଳିଥିଲା । ଅଲରାଉଣ୍ଡର ମୋଇନ ଅଲି କିଛି ସମୟ କ୍ରୀଜରେ ରହି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଆଉଟ୍ କରି ପାଭେଲଅନ ପଠାଇ ଦେଇଥିଲେ । ଡେଭିଡ ୱିଲି ମଧ୍ୟ ଦଳ ସ୍ଥିତିକୁ ମଜବୁତ କରିବା ପାଇଁ ଚେଷ୍ଟା କରିଥିଲେ । ତାଙ୍କୁ ସାଥ୍ ଦେବାକୁ କୌଣସି ଇଂଲଣ୍ଡ ବ୍ଯାଟ୍ସମ୍ୟାନ ସମର୍ଥନ ହୋଇନଥିଲେ । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ସମସ୍ତେ ଧରାଶାୟୀ ହୋଇଯାଇଥିଲେ । ୧୭ ଓଭର ବେଳକୁ ଇଂଲଣ୍ଡ ନିଜର ସମସ୍ତ ୱିକେଟ ହରାଇ ୧୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ବିଜୟ ଠାରୁ ୫୦ ରନ୍ ଦୂରରେ ରହି ମ୍ୟାଚ ହାତଛଡା କରିଥିଲା ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୩ଟି ୱିକେଟ ନେଇଥିଲେ ସେହିପରି ଜଶପ୍ରୀତ ବୁମରାହ ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷଲ ପଟେଲ ମଧ୍ୟ ଗୋଟେ ଲେଖାଇଁ ୱିକେଟ ନେଇଛନ୍ତି  । ଭଲ ପ୍ରଦର୍ଶନ ପାଇଁ ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚନା କରାଯାଇଛି । ଫୁଲ୍ ଟାଇମ କ୍ୟାପ୍ଟେନ ଭାବରେ ରୋହିତ ଶର୍ମାଙ୍କୁ ଏହି ବିଜୟ ସହ ସଫଳତା ମିଳିଛି । ଲଗାତାର ୧୪ ଟି-୨୦ ମ୍ୟାଚ ଜିତିବାରେ ସେ ସଫଳତା ଅର୍ଜନ କରିଛନ୍ତି । ଚଳିତ ଟି-୨୦ର ଶେଷ ମ୍ୟାଚ ୧୦ ତାରିଖରେ ହେବ । ଇଂଲଣ୍ଡ ସମ୍ମାନ ପାଇଁ ଏହି ମ୍ୟାଚ ଖେଳିବ  ।