ମୋହାଲିରେ ମାଟି କାମୁଡ଼ିଲା ଶ୍ରୀଲଙ୍କା: ଇନିଂସ ଓ ୨୨୨ ରନ୍‌ରେ ଜିତିଲା ଭାରତ

1 min read

ମୋହାଲି: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଭାରତର ବୃହତ୍ତ ବିଜୟ । ମୋହାଲିରେ ମାଟି କାମୁଡ଼ିଲା ଶ୍ରୀଲଙ୍କା । ତିନି ଦିନରେ ଶେଷ ହେଲା ମ୍ୟାଚ୍ । ଟିମ୍ ଇଣ୍ଡିଆ ଇନିଂସ୍ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି।

ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୭୪ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍ କରି ଅଲଆଉଟ୍ ହୋଇଥିଲା। ଫଳରେ ଫଲୋଅନ୍ ଏଡ଼ାଇ ନପାରି ପୁଣି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କ ଦ୍ୱିତୀୟ ଇନିଂସରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ମାତ୍ର ୧୭୮ ରନରେ ଅଲଆଉଟ୍ ହୋଇଯାଇଛି ଦଳ । ଅପରାଜିତ ୧୭୫ ରନର ଯୋଗଦାନ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବୋଲିଂରେ ମଧ୍ୟ କମାଲ୍ କରି ମୋଟ ୯ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଶ୍ରୀଲଙ୍କା ପକ୍ଷରୁ ନିରୋଶାନ୍ ଡିକୱେଲା ସର୍ବାଧିକ ୫୧ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି ବ୍ୟାଟର୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଧନଞ୍ଜୟ ଡି’ସିଲଭା ୩୦, ଆଞ୍ଜେଲୋ ମାଥ୍ୟୁସ୍ ୨୮, କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୨୭ ଓ ଚରିଥ ଅସଲଙ୍କା ୨୦ ରନ୍ କରିଥିଲେ। ଭାରତ ପକ୍ଷରୁ ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ୱିକେଟ୍ ପାଇଛନ୍ତି।

ଏହା ପୂର୍ବରୁ ଶ୍ରୀଲଙ୍କା ତୃତୀୟ ଦିବସରେ ୧୦୮/୪ରୁ ଖେଳ ଆରମ୍ଭ କରିଥିଲା। ପାଥୁମ ନିଶାଙ୍କ ଲଢ଼ୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ ହେଁ ତାଙ୍କୁ ଅନ୍ୟ ବ୍ୟାଟରଙ୍କ ତରଫରୁ ସେଭଳି ସହଯୋଗ ମିଳିନଥିଲା। ନିଶାଙ୍କ ୬୧ (୧୩୩ ବଲ୍, ୧୧ ଚୌକା) ରନ୍ କରିଥିବା ବେଳେ ଅସଲଙ୍କା ୨୯, କରୁଣାରତ୍ନେ ୨୮, ମାଥ୍ୟୁସ୍ ୨୨, ଲାହିରୁ ଥିରିମାନେ ୧୭ ରନ୍ କରିଥିଲେ। ପ୍ରଥମ ଇନିଂସରେ ଭାରତର ଜାଡେଜା ସର୍ବାଧିକ ୫ଟି ୱିକେଟ୍ ହାସଲ କରିଥିଲେ। ଅଶ୍ୱିନ୍ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ସଫଳତା ପାଇଥିବା ବେଳେ ଶାମି ଗୋଟିଏ ୱିକେଟ୍ ନେଇଥିଲେ।