ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଭାରତର ଦମଦାର ବିଜୟ । ବିଶ୍ବକପର ହାଇପ୍ରୋଫାଇଲ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ରୋହିତ ବାହିନୀ । ଅଧିନାୟକ ରୋହିତ ଶର୍ମା ଏବଂ ଶ୍ରେୟସ ଆୟାରଙ୍କ ଅର୍ଦ୍ଧଶତକୀୟ ପାଳି । ଭାରତ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ଥିବାବେଳେ ଭାରତ ଏହାକୁ ୩୦ ଓଭର ୩ଟି ବଲରେ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି ।

ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଅନେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବି ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ଗୋଟିକ ପରେ ଗୋଟିଏ ଓ୍ବିକେଟ ନେଇଚାଲିଥିଲେ । ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରି ଭାରତୀୟ ଶିବିରରେ ଚିନ୍ତା ଉଦ୍ରେକ କରାଇଥିଲେ । ବାବର ୫୦ ରନ କରିଥିବାବେଳେ ରିଜଓ୍ବାନ ୪୯ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା ।