ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଲା ଭାରତ, ୩୧ ବର୍ଷ ପରେ..

1 min read

କେପଟାଉନ୍: ଘରୋଇ ଦଳକୁ ହରାଇଲା ଭାରତ । କେପଟାଉନରେ ଚାଲିଥିବା ଦ୍ବିତୀୟ ଟେଷ୍ଟକୁ ୭ ଓ୍ବିକେଟରେ ଜିତିଲା ରୋହିତ ବାହିନୀ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ଭାରତ ଆଗରେ ୭୯ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଭାରତ ୩ ଓ୍ବିକେଟ ବିନିମୟରେ ବିଜୟ ହାସଲ କରିଛି । କେପଟାଉନରେ ଭାରତ ପ୍ରଥମଥର ଲାଗି ଟେଷ୍ଟ ମ୍ୟାଚ ଜିତି ଇତିହାସ ରଚିଛି । ଏହାପୂର୍ବରୁ ଭାରତ ୪ଥର କେପଟାଉନରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲେ ସୁଦ୍ଧା ପରାଜୟ ବରଣ କରିଛି । ୧୯୯୨ ମସିହାରୁ ଭାରତ ଦକ୍ଷିଣ ଆଫ୍ରିକାରେ ଦ୍ବିପାକ୍ଷିକ ଟେଷ୍ଟ ସିରିଜ ଖେଳୁଥିଲେ ସୁଦ୍ଧା ଜିତିପାରୁନଥିଲା । କେପଟାଉନରେ ପ୍ରଥମଥର ପାଇଁ ଭାରତୀୟ ଦଳ ବିଜୟୀ ହୋଇ ୩୧ ବର୍ଷର ରେକର୍ଡ ଭାଙ୍ଗିଛି । ସବୁଠାରୁ ବଡ଼ କଥା ହେଉଛି କି, କୌଣସି ମଧ୍ୟ ଏସୀୟ ଦଳ କେପଟାଉନରେ ଦକ୍ଷିଣ ଆଫ୍ରିକାଠାରୁ ବିଜୟୀ ହୋଇନଥିଲା ।

ଭାରତ ପକ୍ଷରୁ ଜଶସ୍ବୀ ଜୟସ୍ବାଲ ସର୍ବାଧିକ ୨୮ ରନ କରିଛନ୍ତି । ଦ୍ବିତୀୟ ପାଳିରେ ୨୩ ବଲରୁ ୨୮ ରନର ପାଳି ଖେଳି ବର୍ଗରଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ ଜୟସ୍ବାଲ । ରୋହିତ ଶର୍ମା ୧୭ ରନର କରି ଅପରାଜିତ ରହିଥିବାବେଳେ ଶ୍ରେୟସ ଆୟାର ୪ ରନ କରିଛନ୍ତି । କୋହଲି ୧୦ ରନ କରି ଆଉଟ୍ ହୋଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ମାତ୍ର ୫୫ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ ଓ୍ବିକେଟ ଅକ୍ତିଆର କରିଥିବାବେଳେ ମୁକେଶ କୁମାର ଏବଂ ବୁମରା ୨ଟି ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ତେବେ ଭାରତ ପ୍ରଥମ ପାଳିରେ ୧୫୩ ରନ କରିଥିଲା । ପରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ମାକ୍ରମଙ୍କ ଶତକ ବଳରେ ୧୭୬ ରନ କରିଥିବାବେଳେ ଭାରତ ଆଗରେ ବିଜୟ ପାଇଁ ୭୯ ରନର ବିଜୟ ଲକ୍ଷ ରହିଥିଲା । ଯାହାକୁ ଭାରତ ୭ ଓ୍ବିକେଟ ବିନିୟମରେ ଜିତି ନେଇଛି ।