ପ୍ରଥମ ଦିନିକିଆ: ଇଂଲଣ୍ଡକୁ ୪ ଓ୍ବିକେଟରେ ହରାଇଲା ଭାରତ

ନାଗପୁର: ନାଗପୁର ଦିନିକିଆରେ ଭାରତର ଦମଦାର ବିଜୟ । ୪ ଓ୍ବିକେଟରେ ଇଂଲଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ । ୩୮ ଓଭର ୪ଟି ବଲରେ ୬ ଓ୍ବିକେଟ ହରାଇ ୨୫୧ ରନ କଲା ଭାରତ ।

ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ୪୭ ଓଭର ୪ଟି ବଲରେ ସମସ୍ତ ଓ୍ବିକେଟ ୨୪୮ ରନ୍ କରିଥିଲା । ଫଳରେ ଭାରତ ଆଗରେ ୨୪୯ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଭାରତର ଆରମ୍ଭ ଭଲ ହୋଇ ନଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସହ ପଡ଼ିଆକୁ ଓହ୍ଲାଇ ଥିବା ଯଶସ୍ବୀ ଜୟସ୍ବାଲ ଦଳୀୟ ସ୍କୋର ୧୯ ଥିବା ବେଳେ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ପରେ ୭ଟି ବଲରୁ ୨ ରନ୍ କରି ପୁଣି ଫ୍ଲପ ହୋଇଥିଲେ ରୋହିତ ।

ପରେ ପାଳି ସମ୍ଭାଳିଥିଲେ ଶୁଭମନ ଗିଲ ଏବଂ ଶ୍ରେୟସ ଆୟାର । ଶ୍ରେୟସ ମାତ୍ର ୩୬ ବଲରେ ଧୂଆଁଧାର ୫୯ ରନର ପାରି ଖେଳିଥିଲେ । ଏଥିରେ ରହିଥିଲା ୨ଟି ଛକା ଓ ୯ଟି ଚୌକା । ୫୯ ରନରେ ଶ୍ରେୟସ ଆଉଟ ହେବା ପରେ ଆସିଥିଲେ ଅକ୍ଷର ପଟେଲ । ଶୁଭମନ ଗିଲ ୯୬ଟି ବଲରେ ୮୭ ରନ କରି ଆଉଟ ହୋଇଥିଲେ । ୮୭ ରନ ଭିତରେ ଥିଲା ୧୪ଟି ଚୌକା । ସେହିଭଳି ଅକ୍ଷର ପଟେଲ ୪୭ଟି ବଲ ଖେଳି କରିଥିଲେ ୫୨ ରନ । ଏଥିରେ ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଇଂଲଣ୍ଡ ତରଫରୁ ସକିବୁଲ ଏବଂ ଆଦିଲ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ଜୋଫ୍ରା ଏବଂ ଜାକବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଅଧିନାୟକ ବଟଲର ୫୨, ଜାକବ ୫୧ ରନ କରିଥିବା ବେଳେ ଦୁଇ ଓପ୍ନର ସଲ୍ଟ ୪୩ ଏବଂ ଡକେଟ ୩୨ ରନ୍ କରିଥିଲେ । ଶେଷ ଆଡକୁ ଜୋଫ୍ରା ୨୧ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡର ଅନ୍ୟ କୌଣସି ଖେଳାଳି ଭଲ ସ୍କୋର କରିପାରି ନଥିଲେ ।

ଭାରତ ତରଫରୁ ହର୍ସିତ ରାଣା ଏବଂ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ସାମୀ, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଆସନ୍ତା ୯ ତାରିଖରେ ଦ୍ବିତୀୟ ଦିନିକିଆ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।