ଭାରତ ଏବେ ମହାକାଶ ଓ AI କ୍ଷେତ୍ରରେ ନୂଆ ପଦକ୍ଷେପ ଆରମ୍ଭ କରିଛି । ଭାରତୀୟ ସ୍ପେସ କମ୍ପାନୀ Agnikul Cosmos ଓ AI କ୍ଲାଉଡ କମ୍ପାନୀ NeevCloud ସହ ମିଶି ମହାକାଶରେ ଭାରତର ପ୍ରଥମ AI ଡାଟା ସେଣ୍ଟର ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଡାଟା ସେଣ୍ଟର ପୃଥିବୀର ନିକଟ କକ୍ଷରେ ଲଗାଯିବ । କମ୍ପାନୀମାନେ କହିଛନ୍ତି, ଏହାର ପ୍ରଥମ ଟେଷ୍ଟ ଚଳିତ ବର୍ଷ ଶେଷ ଆଡ଼କୁ ହୋଇପାରେ । ଯଦି ଏହି ଟେଷ୍ଟ ସଫଳ ହୁଏ, ତେବେ ଆଗାମୀ ସମୟରେ ଏହି ଟେକନିକ ବହୁ ମାତ୍ରାରେ ବ୍ୟବହାର କରାଯାଇପାରେ ।
ଏନେଇ NeevCloud ପକ୍ଷରୁ କୁହାଯାଇଛି, ଏଥିପାଇଁ ପ୍ରସ୍ତୁତି ସରିଛି ଓ ପ୍ରୋଟୋଟାଇପ ଖୁବଶୀଘ୍ର ମହାକାଶକୁ ପଠାଯିବ । AI Impact Summit ୨୦୨୬ରେ ଏହି ଦୁଇ କମ୍ପାନୀ ଏକ ମଡେଲ ପ୍ରସ୍ତୁତ କରିଥିଲେ । କମ୍ପାନୀ କିପରି ସ୍ପେଶରେ ଡାଟା ସେଣ୍ଟର ଲଗାଇବା ପାଇଁ ପ୍ରସ୍ତୁତି କରିଛନ୍ତି ତାହା ଦେଖାଇଥିଲେ । ସବୁଠାରୁ ବଡ଼ କଥା ହେଉଛି, ଆମେରିକୀୟ ଅରବପତି ଏଲନ ମସ୍କ ମଧ୍ୟ SpaceX ମାଧ୍ୟମରେ ସ୍ପେସରେ ଡାଟା ସେଣ୍ଟର ସେଟଅପ କରିବାକୁ ପ୍ରସ୍ତୁତି କରୁଛନ୍ତି । ମାତ୍ର ତାହା ପାଇଲଟ ଓ ଡେମୋ ଷ୍ଟେଜରେ ରହିଛି ଓ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରୋଟୋଟାଇପ ପଠାଇବାକୁ ଯୋଜନା ରହିଛି । ମହାକାଶରେ ଡାଟା ସେଣ୍ଟର ହେବାର ଅର୍ଥ ହେଉଛି AI ସହ ଜଡ଼ିତ କାମ ଉପରେ ହିଁ ହେବ । ସେଠାରେ ଡାଟା ପ୍ରୋସେସିଂ ହେବ । ଉକ୍ତ ଡାଟାକୁ ଉପରୁ ତଳକୁ ପଠାଇବାକୁ ସମୟ କମ୍ ହୋଇପାରେ । ଏହାଦ୍ବାରା AI ସହ ଜଡ଼ିତ ସେବା ଦ୍ରୁତ ହୋଇପାରେ ବୋଲି କମ୍ପାନୀମାନେ କହିଛନ୍ତି । ଏଥିସହିତ ଖର୍ଚ୍ଚ ମଧ୍ୟ କିଛି ମାତ୍ରାରେ କମ୍ ହୋଇପାରେ ।
ଏକ୍ସପର୍ଟଙ୍କ ମତରେ, ଏହା ଏକ ବଡ଼ ପ୍ରୟୋଗ । ଯଦି ଏହା ସଫଳ ହୁଏ, ତେବେ ଆଗାମୀ ଦିନରେ AI କାମ କରିବାର ତରିକା ବଦଳିପାରେ । ଆଜି ଯେଉଁ କାମ ଜମି ଉପରେ ଥିବା ଡାଟା ସେଣ୍ଟର କରୁଛି, ତାହା ଆଗକୁ ଉପରେ ହିଁ ହେବ । ଏହାଦ୍ବାରା AI ସହ ଜଡ଼ିତ ସେବା ଭଲରେ ହୋଇପାରିବ । ମହାକାଶରେ ସୂର୍ଯ୍ୟ କିରଣ ସିଧାସଳଖ ମିଳିବ, ଫଳରେ ବିଜୁଳି ତିଆରି କରିବାରେ ସହାୟତା ମିଳିବ । ସେଠାକାର ପରିବେଶ ଥଣ୍ଡା ହୋଇଥିବାରୁ ମେଶିନକୁ ଥଣ୍ଡା ରଖିବାରେ କମ୍ ଖର୍ଚ୍ଚ ହେବ । ଜମିରେ ଯେପରି ବଡ଼ ଘର, ଏସି ଓ ଭାରି ବିଜୁଳିର ଆବଶ୍ୟକତା ହୁଏ, ସେଠାରୁ ତାହା କମ୍ ହେବ । ଏହି କାରଣରୁ ଦୀର୍ଘ ଅବଧିରେ ଏହି ତରିକା ସହ ଓ କମ୍ ଖର୍ଚ୍ଚର ହୋଇପାରେ ।

