ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବ ଭାରତ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବ ଭାରତ । ଓଡ଼ିଶୀ ନୃତ୍ୟରେ ଝୁମିବ ଦିଲ୍ଲୀ କର୍ତ୍ତବ୍ୟ ପଥ । ଉପସ୍ଥିତ ଅତିଥିଙ୍କୁ ବିମୋହିତ କରିବ ସାହିଯାତ ଏବଂ ଝୁମର ନୃତ୍ୟ । କଟକ ଏବଂ ଭୁନେଶ୍ବରରେ ଥିବା ଓଡ଼ିଶୀ ନୃତ୍ୟାନୁଷ୍ଠାନ ମାନଙ୍କରୁ ମୋଟ ୯ ଜଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏଥର ବନ୍ଦେ ଭାରତ ନୃତ୍ୟରେ ସାମିଲ ହୋଇଛନ୍ତି । ରାଜପଥରେ ଶ୍ରୀକ୍ଷେତ୍ର ସାହିଯାତର ଝଲକ ମଧ୍ୟ ଦେଖିବାକୁ ମିଳିବ ।

ରଙ୍ଗଶାଳା ଅନୁଷ୍ଠାନର କଳାକାର ମାନେ ପୁରୀର ପାରମ୍ପରିକ ରାବଣ, ନାଗା ଓ ମେଢ ନୃତ୍ୟ ପରିବେଷଣ କରିବେ । କେନ୍ଦୁଝରର ଝୁମର ନୃତ୍ୟକୁ ମଧ୍ୟ ‘ ବନ୍ଦେ ଭାରତ ‘ ନୃତ୍ୟରେ ସାମିଲ କରାଯାଇଛି । କଳାକାର ମାନଙ୍କ ଦ୍ବାରା ବନ୍ଦେ ଭାରତ ନୃତ୍ୟ ଜରିଆରେ ବସୁଧୈବ କୁଟୁମ୍ବକମ୍ ଓ ୟୁନିଟି ଇନ୍ ଡାଇଭର୍ସିଟି ବାର୍ତ୍ତା ଦିଆଯିବ ।

ଚଳିତ ମାସ ୫ ତାରିଖରୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ନୃତ୍ୟ ତାଲିମ ନେଉଛନ୍ତି । ଆଜି ଫୁଲ ଡ୍ରେସ ରିହରର୍ସାଲ୍ ହୋଇଥିବା ବେଳେ କଳାକାର ମାନେ ଏନେଇ ଖୁବ୍ ଉତ୍ସାହିତ । ବନ୍ଦେ ଭାରତ ମହୋତ୍ସବ ୨୦୨୩ର ବିଷୟବସ୍ତୁ ରହିଛି ନାରୀ ଶକ୍ତି । ପ୍ରଶିକ୍ଷଣ ପାଇଁ ଜଣାଶୁଣା ୪ ଜଣ କୋରିଓ ଗ୍ରାଫରଙ୍କୁ ନିୟୋଜିତ କରାଯାଇଛି । ଏଥିରେ ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀ ସ୍ଥାନ ପାଇଛନ୍ତି ।