ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନ ଯିବନି ଭାରତୀୟ ଦଳ: ବିସିସିଆଇ

1 min read

ମୁମ୍ବାଇ: ଏସିଆ କପ୍ ୨୦୨୩କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବଡ଼ ପଦକ୍ଷେପ ଗ୍ରହଣ କରିଛି । ୨୦୨୩ ଏସିଆ କପ୍ ପାକିସ୍ତାନରେ ହେବାକୁ ଯାଉଛି । ପୂର୍ବରୁ ଭାରତ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ଯିବ ବୋଲି କୁହାଯାଉଥିଲା । ହେଲେ ଏହାକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ଭାରତୀୟ କ୍ରିକେଟ ଦଳ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବନାହିଁ । ବିସିସିଆଇ ସଚିବ ଜୟ ଶାହ ଏନେଇ ସୂଚନା ଦେଇଛନ୍ତି ।

ସେହିପରି ଶାହ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଦଳ ଏସିଆ କପ ମୁକାବିଲା ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବା ପାଇଁ ପ୍ରସ୍ତୁତ ଅଛି । ଅର୍ଥାତ ପାକିସ୍ତାନ ବ୍ୟତିତ ଅନ୍ୟ କୌଣସି ବି ସ୍ଥାନରେ ଭାରତୀୟ ଟିମ୍ ଖେଳିବା ପାଇଁ ପ୍ରସ୍ତୁତ ଅଛି । ମଙ୍ଗଳବାର ମୁମ୍ବାଇରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି ।

ବିସିସିଆଇ ଆଗାମୀ ବର୍ଷ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତରିତ କରିବା ଉପରେ ବିଚାର କରିବ । ବିସିସିଆଇ ସଚିବ ଏବଂ ଏସିସିସର ଅଧ୍ୟକ୍ଷ ଜୟ ଶାହ କହିଛନ୍ତି, ଏସିଆ କପ୍କୁ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବା ପାଇଁ ପ୍ରସ୍ତାବ ଦିଆଯିବ ଏବଂ ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବୁ ନାହିଁ ।

ସୂଚନାଥାଉକି, ଭାରତ ଏବଂ ପାକିସ୍ତାନ ଦଳ ୨୦୧୨-୧୩ ପରଠୁ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ଖେଳିନାହିଁ । ଟି-୨୦ ବିଶ୍ୱକପରେ ପାକିସ୍ତାନ ସହ ଭାରତର ମୁକାବିଲା ୨୩ ଅକ୍ଟୋବରରେ ଅଛି । ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ହେବାକୁ ଯାଉଛି । ସମସ୍ତଙ୍କ ନଜର ଏହି ମ୍ୟାଚ୍ ଉପରେ ରହିଛି ।