spot_img

Latest Posts

ବାଂଲାଦେଶକୁ ମାଗଣା ୨୦ ଲକ୍ଷ କରୋନା ଟିକା,ପାକିସ୍ତାନ ଚାହୁଁଛି ଫ୍ରି କୋଭିସିଲ୍ଡ୍

ନୂଆଦିଲ୍ଲୀ: ‘ପଡ଼ଶୀ ପ୍ରଥମେ’ ନୀତି କ୍ରମରେ ଭାରତ ବାଂଲାଦେଶକୁ ୨୦ ଲକ୍ଷ କୋଭିସିଲ୍ଡ ଡୋଜ୍ ମାଗଣା ଦେବ। ଭୁଟାନକୁ ଟିକା ମାଗଣାରେ ଦେବାକୁ ଭାରତ ପ୍ରଥମେ ଘୋଷଣା କରିଥିଲା। ଏବେ ବାଂଲାଦେଶକୁ ମଧ୍ୟ ମାଗଣାରେ ୨୦ ଲକ୍ଷ ଡୋଜ୍ ମିଳିବ। ଅନ୍ୟପକ୍ଷରେ ପାକିସ୍ତାନ ଆଶା କରୁଛି ଯେ, ଭାରତ ତାକୁ ମଧ୍ୟ ମାଗଣା ଟିକା ଦେବ। ମେଡ୍ ଇନ୍ ଇଣ୍ଡିଆ ଟିକା ପାଇବା ପାଇଁ ପାକିସ୍ତାନ ଉଦ୍ୟମ ଆରମ୍ଭ କରି ସାରିଛି। ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ସରକାର ପକ୍ଷରୁ ଏନେଇ ଭାରତକୁ କୌଣସି ଅପିଲ କରାଯାଇ ନାହିଁ।

ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜାହିଦ ମଲିକ ଭାରତ ପକ୍ଷରୁ ୨୦ ଲକ୍ଷ ଟିକା ମାଗଣା ଦିଆଯାଉଥିବା ଖବରକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଉପହାର ଭାବେ ଅଧିକ ସଂଖ୍ୟାରେ ଟିକା ବାଂଲାଦେଶକୁ ଦେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଭାରତରୁ ଏକ ସ୍ୱତନ୍ତ୍ର ବିମାନ ଜାନୁଆରି ୨୦ ତାରିଖ ଦିନ ଟିକା ନେଇ ଯିବ। ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଡୋଜ୍ ଯିବାର ଅଛି। ଭାରତର ସିରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ତିଆରି କରୁଛି। ବାଂଲାଦେଶର ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଠାରେ ମୃତ୍ୟୁ ସଂଖ୍ୟା ରହିଛି ୭ ହଜାର ୯୦୦।

ଅନ୍ୟପକ୍ଷରେ ପାକିସ୍ତାନରେ କରୋନାର ୮ ଲକ୍ଷ ମାମଲା ସାମ୍ନାକୁ ଆସିଥିବା ବେଳେ ୧୧ ହଜାର ଏଥିରେ ପ୍ରାଣ ହରାଇଛନ୍ତି। ନିକଟରେ ପାକିସ୍ତାନୀ ଡ୍ରଗ ନିୟନ୍ତ୍ରଣ ପ୍ରାଧିକରଣ କୋଭିସିଲ୍ଡର ଜରୁରୀକାଳିନ ବ୍ୟବହାରକୁ ମଂଜୁରୀ ଦେଇଛନ୍ତି। ଏହାପରଠାରୁ ପାକିସ୍ତାନ ମେଡ୍ ଇନ୍ ଇଣ୍ଡିଆ ଟିକା ଆଣିବାର ବାଟ ଖୋଜୁଛି। ପାକିସ୍ତାନ ଗ୍ଲାବାଲ ଆଲିଆନ୍ସ ଫର ଭ୍ୟାକ୍ସିନ୍ ଆଣ୍ଡ୍ ଇମ୍ୟୁନାଇଜେସନ୍ (ଗାଭି) ଅନ୍ତର୍ଗତରେ କୋଭାକ୍ସିନ୍ ମାଗଣା ପାଇବାର ସମ୍ଭାବନା ରହିଛି। ଗାଭି ଅନ୍ତର୍ଗତରେ ୧୯୦ ଦେଶର ୨୦ ପ୍ରତିଶତ ଜନସଂଖ୍ୟାକୁ ମାଗଣା ଟିକା ଦିଆଯିବ। ଏହି ତାଲିକାରେ ପାକିସ୍ତାନ ମଧ୍ୟ ରହିଛି।
ତେବେ ପାକିସ୍ତାନ ସିଧାସଳଖ ଭାରତଠାରୁ ଟିକା ନେବାକୁ ଚାହୁଁଥିବା କୁହାଯାଉଛି। ପାକିସ୍ତାନ ଯଦି ସିଧା ଭାରତଠାରୁ ଟିକା ନନିଏ ତେବେ ଏହାକୁ ତୃତୀୟ ପକ୍ଷଠାରୁ ଟିକା କିଣିବାକୁ ପଡିବ। ଯେଉଁଥିପାଇଁ ତାକୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ।

Latest Posts

Don't Miss