ନ୍ୟୁୟର୍କ ଟାଇମ୍ସର ବଡ଼ ଦାବି: ପାକିସ୍ତାନ ସହ ଯୁଦ୍ଧ କରିବ ଭାରତ, ବିଶ୍ବ ନେତାଙ୍କୁ ଦିଆ ସାରିଛି ସୂଚନା !

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ପାକିସ୍ତାନ ବିରୋଧରେ କରିବ ଯୁଦ୍ଧ ଘୋଷଣା । ଏଥର ଏମିତି ହେବ ଆକ୍ରମଣ, ଧ୍ବଂସ ହୋଇଯିବ ପାକିସ୍ତାନ । ଏମିତି କିଛି ଦାବି କରିଛି ଆମେରିକାର ଦି ନ୍ୟୁୟର୍କ ଟାଇନ୍ସ ଖବର କାଗଜ । ୪ ଜଣ ଡିପ୍ଲୋମାସଙ୍କ ତଥ୍ୟ ଆଧାରରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି ରିପୋର୍ଟ । ଏଥିରେ କୁହାଯାଇଛି, ୨୨ ଏପ୍ରିଲରେ କାଶ୍ମୀରରେ ନରସିଂହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ରୁ ଅଧିକ ବିଶ୍ବ ନେତାଙ୍କ ସହ ଆଲୋଚନା କରିସାରିଛନ୍ତି । ଏପରିକି ୧୦୦ ଦେଶର କୂଟନୀତିଜ୍ଞଙ୍କୁ ଭାରତର ବୈଦେଶିକ ବ୍ୟାପାରା ମନ୍ତ୍ରାଳୟ ବିଫ୍ରିଂ କରି ସାରିଛି । ରିପୋର୍ଟରେ କୁହାଯାଇଛି, ମୋଦି ବିଶ୍ବ ନେତାଙ୍କୁ ସାହାଯ୍ୟ କରିବାକୁ ଫୋନ କରି ନଥିଲେ, ପାକିସ୍ତାନ ବିରୋଧରେ ଆକ୍ସନ ନେବାକୁ ଯାଉଛୁ ବୋଲି କହିବାକୁ ଫୋନ୍ କରିଥିଲେ ।
ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରୁଛି । କୁହାଯାଉଛି, ପାକିସ୍ତାନ ସେନାମୁଖ୍ୟ ଅସୀମ ମନିର ନିର୍ଦ୍ଦେଶରେ ଆତଙ୍କବାଦୀ ଆକ୍ରମଣ ହୋଇଛି । କାରଣ ମୁନିର ପାକିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି । ଦି ନ୍ୟୁୟର୍କ ଟାଇମ୍ସ ଇଣ୍ଟରନ୍ୟାସନାଲ ରିପୋର୍ଟରେ ଦାବି କରାଯାଇଛି, ଭାରତ ବିଶ୍ବ ରାଜନୀତିଜ୍ଞଙ୍କ ସହ କରିଥିବା ଆଲୋଚନା ସମ୍ପର୍କରେ ଅବଗତ ଥିବା ୪ ଜଣ ଅଧିକାରୀ କହିଛନ୍ତି, ଭାରତ ପାକିସ୍ତାନ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଏମିତି ଦଣ୍ଡ ଦିଆଯିବ ଯେ, ପାକିସ୍ତାନ କେବେ କଳ୍ପନା କରି ନଥିବ ବୋଲି ମୋଦି କହିଛନ୍ତି ।
ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅଧିକାରୀକ ସ୍ତରରେ ଆତଙ୍କବାଦୀଙ୍କୁ ଲୋକଲୋଚନକୁ ଆଣିନି କି ସାର୍ବଜନୀନ ସ୍ତରରେ ପ୍ରମାଣ ଦେଖାଇନି । ଭାରତ ସ୍ପଷ୍ଟ ଭାବେ କହିଛି, ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି । ରିପୋର୍ଟରେ କୁହାଯାଇଛି, ବିଦେଶୀ କୁଟନୀତିଜ୍ଞଙ୍କୁ ଭାରତ ବ୍ରିଫିଂ କରିବା ବେଳେ ଆତଙ୍କବାଦୀଙ୍କୁ ପାକିସ୍ତାନ ସମର୍ଥନ କରୁଥିବା ନେଇ ପୂର୍ବରୁ ଥିବା ସୂଚନା ପ୍ରଦାନ କରାଯାଇଛି । ଏହାସହ ପହଲଗାଓଁ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ କିଛି ଗୁଇନ୍ଦା ସୂଚନାର ପ୍ରମାଣ ମଧ୍ୟ ଭାରତ ଦେଇଛି । ଭାରତ ଦେଇଥିବା ସୂଚନାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାର ଡାଟା ରହିଛି, ଯାହାର ସମ୍ପର୍କ ପାକିସ୍ତାନ ସହ ରହିଛି ।
ଆମେରିକୀୟ ଖବର କାଗଜରେ କୁହାଯାଇଛି, ଏମିତିରେ ଦୁଇଟି ସମ୍ଭାବନା ସୃଷ୍ଟି ହେଉଛି । ଏମିତି ସଙ୍କେତ ମିଳୁଛି, ଭାରତକୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ, ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରମାଣ ଏକାଠି କରିବାକୁ ଅଧିକ ସମୟ ଦରକାର । ଦ୍ବିତୀୟ ସଙ୍କେତ କହୁଛି, ବର୍ତ୍ତମାନ ବିଶ୍ବରେ ଯୁଦ୍ଧକୁ ନେଇ ଅଶାନ୍ତି ଲାଗି ରହିଥିବା ବେଳେ ଭାରତ ନିଜ ଆକ୍ସନ ଉଚିତ ବୋଲି ପ୍ରମାଣ ଦେବାକୁ ଆଶବଶ୍ୟକ ମନେ କରୁନି ।