ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦: ଭାରତ ଆଗରେ ୨୦୭ ରନର ବିଜୟ ଲକ୍ଷ୍ୟ

1 min read

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି । ଭାରତ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିଥିଲା ସେହିପରି ଆହ୍ୱାନ କ୍ରମେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା । ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୨୦୬ ରନ୍ ସଂଗ୍ରହ କରିଛି । ଭାରତ ଆଗରେ ଏବେ ୨୦୭ ରନର ବିଜୟ ଲକ୍ଷ୍ୟ । ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ଯୋଡ଼ି ପଥୁମ ନିଶାଙ୍କ ଏବଂ କୁସଲ ମେଣ୍ଡିସ ଦଳକୁ ଭଲ ଆରମ୍ଭ ଦେଇଥିଲେ । ନିଶାଙ୍କ ୩୫ ବଲରେ ୩୩ ରନ୍ କରିଥିଲେ ।

ସେହିପରି କୁସଲ ମେଣ୍ଡିସ ୩୧ ଟି ବଲରେ ୫୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚରିଥ ଅସଲଙ୍କା ୧୯ ବଲରେ ୩୭ ରନ୍ କରିଥିଲେ । ଇନିଂସ ଶେଷ ବେଳକୁ ଦସୁନ ଶନକା ଚମତ୍କାର ପ୍ରଦର୍ଶନ କରିଥିଲେ । ମାତ୍ର ୨୨ ଟି ବଲରେ ୫୬ ରନ୍ କରି ଅପରାଜିତ ରହିଥିଲେ । ଚମିକା କରୁଣାରତ୍ନେ ମଧ୍ୟ ୧୧ ରନ୍ କରି ଅପରାଜିତ ରହିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭାରତୀୟ ବୋଲର ସଫଳ ସାବ୍ୟସ୍ଥ ହୋଇନଥିଲେ ।

ଗତ ମ୍ୟାଚରେ ଡେବୁଟ କରି ୪ୱିକେଟ୍ ହାସଲ କରି ସଫଳତା ପାଇଥିବା ଶିଭମ ମାଭି ଆଜିର ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଶିଭମ ୪ ଓଭର ବୋଲି କରି ସର୍ବାଧିକ ୫୩ ରନ୍ ବ୍ୟୟ କରିଛନ୍ତି । ଭାରତୀୟ ଦଳ ପକ୍ଷରୁ ଉମ୍ରାନ ମଲିକ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ସର ପଟେଲ ଦୁଇଟି ଏବଂ ୟୁଜବେନ୍ଦ୍ର ଚହଲ ଗୋଟେ ୱିକେଟ୍ ହାସଲ କରିଛନ୍ତି । ପ୍ରଥମରୁ ଭାରତୀୟ ବୋଲର ମାନେ ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ବିଫଳ ହୋଇଥିଲେ ।

ଶ୍ରୀଲଙ୍କାର ଦଳୀୟ ସ୍କୋର ୮୦ ଥିବା ବେଳେ ପ୍ରଥମ ୱିକେଟ୍ କୁସଲ ମେଣ୍ଡିସଙ୍କ ରୂପରେ ଯାଇଥିଲା । ଭାରତକୁ ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜ୍ ଜିତିବାକୁ ହେଲେ ନିର୍ଦ୍ଧାରିତ ଓଭରରେ ୨୦୭ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ହେବ । ବର୍ତ୍ତମାନ ଭାରତ ୧-୦ରେ ସିରିଜରେ ଆଗୁଆ ଅଛି । ଅନ୍ୟପକ୍ଷରେ ଏକ ଭଲ ଟାର୍ଗେଟ ଦେଇଥିବା ଶ୍ରୀଲଙ୍କା ଭାରତକୁ ବିଜୟ ଲକ୍ଷ୍ୟଠୁ ଦୂରରେ ରଖି ସିରିଜରେ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରିବ ।